ରାଜିନାମା ଉଲ୍ଲଂଘନ କରି ବେଜିଙ୍ଗ୍ ଗ୍ରହଣ କରିଥିବା କେତେଗୁଡ଼ିଏ ପଦକ୍ଷେପ ସଂକ୍ରାନ୍ତରେ ଗ୍ରହଣଯୋଗ୍ୟ କୈଫିୟତ୍ ଦେଇ ନ ଥିବାରୁ ସମ୍ପ୍ରତି ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କରେ ଏବେ ଅନେକ ସମସ୍ୟା ସୃଷ୍ଟି ହୋଇଛି ବୋଲି ଆଜି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ଦ୍ବିପାକ୍ଷିକ ସମ୍ପର୍କକୁ ସେମାନେ କେଉଁଆଡ଼େ ନେବାକୁ ଚାହୁଁଛନ୍ତି ତା’ର ଜବାବ ଚୀନା ନେତୃତ୍ବ ଦେବ ବୋଲି ସେ କହିଛନ୍ତି। ସିଙ୍ଗାପୁରରେ ଆୟୋଜିତ ‘ବ୍ଲୁମ୍ବର୍ଗ ନିୟୁ ଇକୋନୋମିକ୍ ଫୋରମ୍’ରେ ‘ଗ୍ରେଟର୍ ପାୱାର୍ କମ୍ପିଟିସନ୍: ଦି ଏମର୍ଜିଙ୍ଗ୍ ୱାର୍ଲଡ୍ ଅର୍ଡର୍’ ପାନେଲ୍ରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଲେ, ଆମ ସମ୍ପର୍କର କେଉଁ ସ୍ଥାନରେ ଆମେ ଉପସ୍ଥିତ ହୋଇଛୁ ଏବଂ ଏଥିରେ କ’ଣ ତ୍ରୁଟି ହୋଇଛି ଚୀନ୍ର ସନ୍ଦେହ ଥିବ ବୋଲି ମୋର ମନେହୁଏ ନାହିଁ। ଅନେକ ଥର ମୁଁ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ୟିଙ୍କୁ ଭେଟିଛି। ଆପଣମାନେ ଜାଣନ୍ତି, ମୁଁ ଅତି ସ୍ପଷ୍ଟ ଏବଂ ବୁଝି ହେବା ପରି କହୁଛି। ଏଥିରେ କିଛି ଅସ୍ପଷ୍ଟ ନାହିଁ। ମୁଁ ନିଶ୍ଚିତ ଯେ, ସେମାନଙ୍କର ଆଗ୍ରହ ଥିଲେ ସେମାନେ ମୋ କଥା ଶୁଣି ପାରୁଥିବେ।
ପୂର୍ବ ଲଦାଖରେ ଚୀନ୍ ସହ ହୋଇଥିବା ସୀମା ସଙ୍ଘର୍ଷ କଥା ଦର୍ଶାଇ ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ବୈଶ୍ବିକ କ୍ଷମତା ପୁନଃସନ୍ତୁଳନ ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ରଣନୈତିକ ଭାବେ ରାଜିନାମା କରିବା ସହ ଅନ୍ୟ ରାଷ୍ଟ୍ରମାନଙ୍କୁ ସ୍ଥାନ ଦେଉଛି ବୋଲି ସୃଷ୍ଟି ହୋଇଥିବା ମନୋଭାବକୁ ଜୟଶଙ୍କର ହାସ୍ୟାସ୍ପଦ କହି ଅଗ୍ରାହ୍ୟ କରି ଦେଇଛନ୍ତି। ସେ କହିଛନ୍ତି, ଆଜି ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍ ନମନୀୟ ଅଂଶୀଦାର, ପରାମର୍ଶ, ପ୍ରସ୍ତାବ ପ୍ରତି ଖୁବ୍ ଉନ୍ମୁକ୍ତ ଏବଂ ପୂର୍ବାପେକ୍ଷା ଅଧିକ ବ୍ୟବସ୍ଥାସମ୍ପନ୍ନ କାର୍ଯ୍ୟ କରୁଛି। ଏହାକୁ ଆମେରିକାର ପତ୍ତନ ବୋଲି ବିଭ୍ରାନ୍ତିକର ବୟାନ ଦିଅନ୍ତୁ ନାହିଁ। ସେମିତି କହିବା ହାସ୍ୟାସ୍ପଦ କଥା।
ଏହା ସ୍ପଷ୍ଟ ଯେ, ଚୀନ୍ ସମ୍ପ୍ରସାରିତ ହେଉଛି। କିନ୍ତୁ, ଚୀନ୍ର ସ୍ବଭାବ, ତାହାର ବର୍ଦ୍ଧିଷ୍ଣୁ ପ୍ରଭାବର ରୀତି ଖୁବ୍ ଭିନ୍ନ। ଏହାଦ୍ବାରା ଚୀନ୍ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ ନେଇ ପାରିବ ନାହିଁ।