ସୀମାରେ ମୁହାଁମୁହିଁ ଭାରତ ଓ ଚୀନ ସେନା: ଏଲଏସି ଆଡକୁ ମାଡ଼ି ଆସୁଥିବା ୨ଶହ ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ 

219

କନକ ବ୍ୟୁରୋ: ସୀମାରେ ପୁଣି ମୁହାଁମୁହିଁ ପରିସ୍ଥିତିରେ ଭାରତ ଓ ଚୀନ । ଆଉ ଏଥର ଲଦାଖ ନୁହେଁ ଅରୁଣାଚଳ ପ୍ରଦେଶ ସୀମାରେ ଦେଖିବାକୁ ମିଳିଛି ବିବାଦୀୟ ପରିସ୍ଥିତି । ପାଖାପାଖି ୨୦୦ ଡ୍ରାଗନ ସେନା ଏଲ୍ଏସି ଆଡକୁ ମାଡି ଆସିଥିବା ସୂଚନା ମିଳିଛି । ଅରୁଣାଚଳ ପ୍ରଦେଶ, ତୱାଙ୍ଗ ନିକଟରେ ସୀମା ଦେଇ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ ଚୀନ ସେନାକୁ ଅଟକାଇବାକୁ ଚେଷ୍ଟା କରିଛନ୍ତି ଭାରତୀୟ ଯବାନ । ଫଳରେ ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଘଟଣାଟି ଗତ ସପ୍ତାହର ବୋଲି ସୂଚନା ମିଳିଛି ।

ପୁଣିଥରେ ସୀମାରେ ଅଶାନ୍ତ ହୋଇଛି ସ୍ଥିତି । କିଛି ଦିନର ବ୍ୟବଧାନ ପରେ ପୁଣିଥରେ ନିଜ ବେଇମାନ ନୀତି ଦେଖାଇଛି ଡ୍ରାଗନ ସେନା । ସୀମା ଡେଇଁ ଭାରତୀୟ କ୍ଷେତ୍ରକୁ ପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଅରୁଣାଚଳ ତବାଙ୍ଗ ଘାଟି ଦେଇ ଭାରତକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲା ଚୀନ । ଘଟଣାଟି ଗତ ସପ୍ତାହର । ସୂଚନା ଅନୁସାରେ

– ପାଖାପାଖି ୨୦୦ ଡ୍ରାଗନ ସେନା ଏଲ୍ଏସି ଆଡକୁ ମାଡି ଆସିଥିଲେ

– ସୀମାରେ ଚୀନ ସେନାକୁ ଅଟକାଇ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଥିଲା ଭାରତୀୟ ସେନା 

– ଘାଟିରେ ଉଭୟ ପକ୍ଷ ସେନା ମୁହାଁମୁହିଁ ହୋଇଥିଲେ 

ଗୋଟିଏ ପଟେ ଲଦାଖରେ ସ୍ଥିତି ସୁଧାରିବା ପାଇଁ ଦୁଇ ଦେଶ ମଧ୍ୟରେ ବୈଠକ ପରେ ବୈଠକ କରାଯାଉଛି । ସେପଟେ ଲଦାଖରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରି ନଥିବାବେଳେ ଏବେ ଅରୁଣାଚଳ ପ୍ରଦେଶରେ ବି ସମାନ ସମସ୍ୟା ଦେଖାଦେଲାଣି । ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ସୀମାରେ ଉତେଜନା ପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଥିଲା । କିଛି ଘଂଟା ଧରି ଉଭୟ ପକ୍ଷ ମଧ୍ୟରେ ଝଗଡା ମଧ୍ୟ ଲାଗି ରହିଥିଲା  । ଆଉ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଚୀନ୍ ସେନା ପଛକୁ ହଟିଥିଲା ବୋଲି ଜଣାପଡିଛି । ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି ।

ଲଦାଖରେ ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଥିବାବେଳେ ଚୀନ କିନ୍ତୁ ନିଜ ବେଇମାନ ନୀତିକୁ ଛାଡି ପାରୁନି । ବାରମ୍ବାର ଭାରତୀୟ ସୀମା ଡେଇଁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ଡ୍ରାଗନ ସେନା । ଏହା ପୂର୍ବରୁ

– ଅଗଷ୍ଟ ୩୦ରେ ଉତ୍ତରାଖଣ୍ଡ ସେଂଟ୍ରାଲ ସେକ୍ଟରରେ ସୀମା ଡେଇଁ ଅନୁପ୍ରେଶ କରିଥିଲା ଡ୍ରାଗନ

– ଶହେରୁ ଅଧିକ ଚୀନ ସେନା ଘୋଡାରେ ଭାରତ ସୀମା ଡେଇଁ ଏକ ଫୁଟ୍ ଓଭରବ୍ରିଜ୍ ଭାଙ୍ଗିଦେବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲେ