ଫେରିବ କହି ଫେରିଲନି… ବାପା ! ତମେ ମତେ କେମିତି ଠକି ପାରିଲ…? ସୀମାରେ ସହିଦ ହେବା ପରେ ବାପାର ଫଟୋକୁ ଦେଖି ଅଭିମାନରେ କୁନି ଝିଅ ପଚାରିଲା ପ୍ରଶ୍ନ । ବାପ-ଝିଅର ଫଟୋ ଦେଖି ସୋସିଆଲ ମିଡିଆରେ ଭାବୁକ ହେଲେ ଲୋକେ…

3,803

କନକ ବ୍ୟୁରୋ: ବାପା ! ମୁଁ ତମ ଉପରେ ରାଗିଛି… ତମ ସହ ଜମା କଥା ହେବିନି… କହିଥିଲ ନା ଧନ ଲୋ’ କରୋନା ପଳେଇଲେ ମୁଁ ଘରକୁ ଯିବି ଆଉ ତୋ ସହ ଦିନରାତି ଖେଳିବି । ମୋ ସୁନା ଝିଅଟା ପରା ଆଉ କିଛି ଦିନ ରହିଯା, ତୋ ପାଇଁ ସବୁ ନେଇକି ଯିବି… ତମ କଥା ମାନି ମୁଁ ମନକୁ ବୁଝେଇଦେଲି । କହିଥିଲ ସୀମାରୁ ଫେରିଲା ବେଳେ ସାଙ୍ଗରେ କେତେ କଣ ଆଣିବ । ମୋ ଫେବରାଇଟ୍ ଡଲ୍, ମୋ ପାଇଁ ନୂଆ ଡ୍ରେସ ଆଉ ମେଞ୍ଚା ମେଞ୍ଚା ଚକଲେଟ୍ । ହେଲେ ଆଜି ଜାଣିଲି ସେଦିନ ତମେ ମିଛ କହିଥିଲ… ସୀମାରେ ଲଢୁ ଲଢୁ ସହିଦ ହୋଇଗଲ । ମା କହୁଥିଲା ସେଠୁ କାଳେ ଆଉ କେହି ଫେରନ୍ତିନି… ସତରେ ବାପା ତମେ କଣ ମତେ ଠକି ଦେଲ…

ସୀମାରେ ସହିଦ ହୋଇଥିବା ବାପାକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲା ବେଳେ ହୁଏତ ଅଭିମାନରେ ଏମିତି କିଛି କଥା କହୁଥାଇପାରେ ଏ କୁନି ଝିଅ । ଜୀବନ କଣ ଜାଣିନଥିବା ଏ କଅଁଳ କଢି କିନ୍ତୁ ମୃତ୍ୟୁକୁ ଧିରେ ଧିରେ ବୁଝୁଛି । କାରଣ ତା ବାପା ସହିଦ ହୋଇଛନ୍ତି । ଚୀନର ଚକ୍ରବ୍ୟୁହରେ ଫସି ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଶତ୍ରୁ ସହ ଲଢେଇ କରିଛନ୍ତି । ଆଉ ମାଟି ମାଆ ପାଇଁ ପ୍ରାଣବଳୀ ଦେଇଛନ୍ତି । ବୋଧେ ସେଇଥି ପାଇଁ ଦୀପଟିଏ ଜାଳି କୁନି ହାତରେ ତା ବାପାଙ୍କୁ ଶେଷ ସଲାମ ଜଣାଉଛି ।

ଲଦ୍ଦାଖ ଗଲୱାନ ଘାଟିରେ ଡ୍ରାଗନ ସେନା ସହ ମୁହାଁମୁହିଁ ହୋଇ କମାଣ୍ଡିଂ ଅଫିସର ସନ୍ତୋଷ ବାବୁ ସହିଦ ହେବା ପରେ ତେଲେଙ୍ଗାନା ସ୍ଥିତ ତାଙ୍କ ଘରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପୁଅକୁ ହରାଇ ବାପାମାଆ ସ୍ଥାଣୁ ପାଲଟିଥିବା ବେଳେ ସୀମାରେ ଲିଭିଛି ସ୍ତ୍ରୀର ସିନ୍ଦୂର । ଆଉ ସ୍ୱାମୀ ସହିଦ ହେବା ପରେ ଲୁହ ନିଗାଡି ଭାଗ୍ୟକୁ ନିନ୍ଦୁଛି ସ୍ତ୍ରୀ । ସେପଟେ ବାପା ଆଉ ଏ ଦୁନିଆରେ ନଥିବା କଥା ଜାଣିପାରୁନି କୁନି ପୁଅ । କିନ୍ତୁ ଏ ଝିଅ ବୁଝିଛି ତା ବାପା ଆଉ ସୀମାରୁ ଫେରିବେନି ବୋଲି । ବାପାକୁ ଶେଷ ପ୍ରଣାମ ଦେଲା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଲୁହଭିଜା ଫଟୋ ସମସ୍ତଙ୍କୁ କନ୍ଦାଇ ଦେଇଛି…

ସେପଟେ ସୀମାରେ ଓଡିଆ ପୁଅ ସହିଦ ହେବା ପରେ ଲୁହରେ ଓଦା ହୋଇଛି ରାଇରଙ୍ଗପୁର ବଡଚମ୍ପାଉଦା ଗାଁ । ବୀର ପୁଅକୁ ହରାଇ ଗାଁ କାନ୍ଦୁଛି ତ ସ୍ୱାମୀଟକୁ ହରାଇ ସ୍ତ୍ରୀ । ଆଉ ବାପା ପ୍ରାଣବଳୀ ଦେବା ପରେ ବାପ ଛେଉଣ୍ଡ ହୋଇଛନ୍ତି ସହିଦ ଯବାନ ନନ୍ଦୁରାମ ସୋରେନଙ୍କ ୩ ଝିଅ । ଜୀବନକୁ ନେଇ ଦେଖିଥିବା ପିଲାଙ୍କ ସବୁ ସ୍ୱପ୍ନକୁ ସତ କରୁଥିଲେ ବାପା, ହେଲେ ସେ ଆଖିବୁଜିବା ପରେ ଏବେ ଭାଙ୍ଗିପଡିଛନ୍ତି ୩ ଝିଅ । ଜଣେ ଝିଅ ନବମରେ, ଜଣେ ଷଷ୍ଠରେ ଆଉ ଜଣେ ପ୍ରଥମ ପଢୁଥିବା ବେଳେ ବାପା ସହିଦ ହେବା ପରେ ବାକଶୂନ୍ୟ ହୋଇଛନ୍ତି ସମସ୍ତେ ।
ବର୍ଡରରୁ ଆସିଥିବା ଖବର ହୁଏତ ଏ ପିଲାଙ୍କ ମୁଣ୍ଡରେ ବାପ ଛେଉଣ୍ଡର ଟ୍ୟାଗ ଲଗେଇ ଦେଇଛି । ହେଲେ ଏମାନେ କିନ୍ତୁ ଦୁଃଖ ଭିତରେ ବି ସବୁଦିନ ପାଇଁ ଗର୍ବରେ ବଞ୍ଚିବେ । କାରଣ ତାଙ୍କ ବାପା ଦେଶ ପାଇଁ ଜୀବନ ଦେଇଛନ୍ତି, ମାଟି ମାଆ ପାଇଁ ସହିଦ ହୋଇଛନ୍ତି…