ସୀମାରେ ଶକ୍ତି ଦେଖାଇଲା ଭାରତ: ରେଜାଙ୍ଗ ଲାରେ ଭାରତ-ଚୀନ ସେନା ମୁହାଁମୁହିଁ, ଭାରତୀୟ ସେନାକୁ ହଟାଇବାକୁ ଡ୍ରାଗନ୍ ସେନାର ପ୍ରୟାସ; ଭାରତର ଫାଙ୍କା ଗୁଳିଚାଳନା ଜବାବରେ ଚୀନ୍ କରିଥିଲା ଗୁଳିମାଡ଼

କୁଟନୈତିକସ୍ତରରେ ସମାଧାନ ପାଇଁ ଉଦ୍ୟମ ଜାରି

582

କନକ ବ୍ୟୁରୋ: ଏଲଏସିରେ ଫୁଟିଲା ଗୁଳି । ଦୀର୍ଘ ୪୫ ବର୍ଷ ଭିତରେ ଏପରି କେବେ ଦେଖିବାକୁ ମିଳିନଥିଲା । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଭାରତ କବଜାରେ ଥିବା ସ୍ଥାନ ଆଡକୁ ଚୀନ୍ ସେନା ଅନୁପ୍ରବେଶ ଉଦ୍ୟମ କରିବା ପରେ ଏପରି ଗୁଳି ଫୁଟିଛି । ଏହି ଘଟଣା ପର ଠାରୁ ସମସ୍ତଙ୍କ ନଜର ରହିଛି ସୀମାର ହଲଚଲ ସ୍ଥିତି ଉପରେ । ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ଫାଙ୍କା ଗୁଳି ଚାଳନା କରି ପଣ୍ଡ କରିଛି । ଚୀନ୍ ସେନା ବି ଜବାବରେ କରିଥିଲା ଗୁଳିମାଡ । ପୁରା ଘଟଣାରେ ଭାରତୀୟ ସେନାକୁ ଦାୟୀ କରିଛି ଚୀନ୍ । ଭାରତୀୟ ଜବାନ ଏଲଏସି ଅତିକ୍ରମ କରିଥିବା ଚୀନ୍ ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛି ଭାରତୀୟ ସେନା । ସେପଟେ କୂଟନୈତିକ ବାର୍ତା ଜରିଆରେ ଶାନ୍ତି ରକ୍ଷା ପାଇଁ ଭାରତକୁ ନିବେଦନ କରିଛି ଚୀନ ।

ଗତ ୪୫ ବର୍ଷ ଭିତରେ ଭାରତ ଚୀନ୍ ସୀମାରେ ଯାହା ଘଟିନଥିଲା, ତାହା ଦେଖିବାକୁ ମିଳିଛି ସୋମବାର ରାତିରେ । ସୀମାରେ ଜାରି ବିବାଦ ଭିତରେ ପୂର୍ବ ଲଦାଖ ସେକ୍ଟରର ଏଲଏସିରେ ଫୁଟିଛି ଗୁଳି । ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନ୍ଧାର ରାତିର ସୁଯୋଗ ନେଇ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସୋପୋଆ ମାଉଁଟେନ ଟପ୍ସରେ ଭାରତୀୟ ସେନାର ଏକ କ୍ୟାମ୍ପ ନିକଟକୁ ଆସିଥିଲା ଚୀନ୍ ସେନା । କରିଥିଲେ ଫାଙ୍କା ଗୁଳି ଚାଳନା । ଭାରତୀୟ ସେନା ଲଗାତାର ଗୁଳି ମାଡ କରିବା ପରେ ପଛକୁ ଘୁଂଚିବାକୁ ବାଧ୍ୟ ହୋଇଥିଲା ଚୀନ ସେନା ।

ନଜର ପକାନ୍ତୁ କଣ ସ୍ଥିତି ରହିଥିଲା, ଯାହା ପାଇଁ ସୀମାରେ ଫୁଟିଲା ଗୁଳି?

• ପୂର୍ବ ଲଦାଖର କାଲାଟପ ଓ ହେଲମେଟ ଟପ ଚୀନ୍ ସେନା କବଜାରେ ଅଛି

• ସୋମବାର ରାତିରେ ଏଠାରୁ ସୋପୋଆ ଆଡକୁ ବଢିଥିଲା ଚୀନ ସେନା

• ଜବାବରେ ଭାରତୀୟ ସେନା ଦେଇଥିଲା ୱାର୍ଣ୍ଣିଙ୍ଗ ସଟ୍

କାଲାଟପ୍ ଓ ହେଲମେଟ ଟପକୁ ଚୀନ ସେନା କବଜା କରିବା ପରେ ଚତୁର୍ଥ ଥର ସୀମାରେ ଦେଖିବାକୁ ମିଳିଛି ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମ । ଯାହାକୁ ନେଇ ଏଥର ସୀମାରେ ଗୁଳି ଫୁଟିଛି । ତେବେ ୧୯୭୫ ପରେ ଏଲଏସିରେ ଦୁଇ ଦେଶର ସେନା ମଧ୍ୟରେ ଏହା ପ୍ରଥମ ଗୁଳି ବିନିମୟ ବୋଲି କୁହାଯାଉଛି । ଏପରିକି ଗଲୱାନ ଘାଟିରେ ହୋଇଥିବା ବଡ ସଂଘର୍ଷରେ ମଧ୍ୟ ଗୁଳି ବିନିମୟ ହୋଇନଥିଲା । ତେବେ ଶେଷ ଥର ପାଇଁ ୧୯୭୫ ମସିହାରେ ଅରୁଣାଚଳପ୍ରଦେଶ ସୀମାରେ ଫୁଟିଥିଲା ଗୁଳି । ଦୁଇ ଦେଶର ସେନା ମୃତାହତ ହୋଇଥିଲେ । ଏହା ପର ଠାରୁ କେବେ ଭାରତ-ଚୀନ୍ ସୀମାରେ ଗୁଳି ଫୁଟିବା ଘଟଣା ନଜର ଆସିନଥିଲା ।

ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ ଅନୁସାରେ ଚୀନ ପିପୁଲସ ଲିବରେସନ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣର ପ୍ରବକ୍ତା କର୍ଣ୍ଣଲ ଝାଙ୍ଗ ସୁଇଲି କହିଛନ୍ତି ସୋମବାର ଭାରତୀୟ ସେନା ଅବୈଧ ଭାବରେ ଫେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସୋନପାଓ ପାହାଡରେ ଏଲଏସି ଅତିକ୍ରମ କରିବା ପରେ ଜବାବ ଦେବାକୁ ଯାଇ ଗୁଳି ଫୁଟାଇଥିଲା ଚୀନ ସେନା । ସେପଟେ ଚୀନର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ସେନା । ଭାରତୀୟ ସେନା ସ୍ପଷ୍ଟ କରିଛି ଭାରତୀୟ ସେନା ଏଲଏସିକୁ ଅତିକ୍ରମ କରିନଥିଲେ । ଚୀନ ସେନା ଭାରତୀୟ ସେନା ପୋଷ୍ଟ ଆଡକୁ ବଢ଼ୁଥିବାବେଳେ ସର୍ତକ କରିବା ପାଇଁ କରାଯାଇଥିଲା ଗୁଳିମାଡ । ଆକାଶମାର୍ଗରୁ ଚୀନ ସେନା ବାରମ୍ବାର ଗୁଳିମାଡ କରିବା ପରେ ଜବାବ ଦେଇଥିଲେ ଭାରତୀୟ ଯବାନ ।

Comments are closed.