ଭାରତ ଚୀନ୍ ବିବାଦର ସମାଧାନ ପାଇଁ ମସ୍କୋରେ ୫ସୂତ୍ରୀ ସହମତି: ବିଭେଦକୁ ବିବାଦରେ ପରିଣତ ନ କରିବା ପାଇଁ ଉଭୟ ରାଷ୍ଟ୍ର ରାଜି; ସେପଟେ ଏବେବି ପେଙ୍ଗଙ୍ଗରେ ଉତ୍ତେଜନା

ଚୀନ ସୈନ୍ୟ ଠୁଳ ହେବା ପରେ ଭାରତ ବି ବଢାଇଲା ସୈନ୍ୟବଳ

298

କନକ ବ୍ୟୁରୋ: ଭାରତ ଚୀନ୍ ବିବାଦର ମସାଧାନ ପାଇଁ ମସ୍କୋରେ ୫ସୂତ୍ରୀ ସହମତି ହୋଇଛି । ମସ୍କୋରେ ଚାଲିଥିବା ଏସସିଓ ବୈଠକରେ ଉଭୟ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ୨ଘଂଟା ଧରି ଆଲୋଚନା ହେବା ପରେ ଏହି ୫ସୂତ୍ରୀ ଚୁକ୍ତିରେ ସହମତି ପ୍ରକାଶ ପାଇଛି । ମୁଖ୍ୟତଃ ବିଭେଦକୁ ବିବାଦରେ ପରିଣତ ନ କରିବା ପାଇଁ ଉଭୟ ରାଷ୍ଟ୍ର ରାଜି ହୋଇଥିବା ଜଣାପଡିଛି । ସେପଟେ କିନ୍ତୁ ଏବେବି ପେଙ୍ଗଙ୍ଗରେ ଉତେଜନା ଲାଗିରହିଛି । ଚୀନ ସୈନ୍ୟ ଠୁଳ ହେବା ପରେ ଭାରତ ବି ବଢାଇଛି ସୈନ୍ୟବଳ ।

ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ଦେଶ ସୌନ୍ୟ ଠୁଳ କରୁଥିବା ବେଳେ ଉତେଜନା ଲାଗି ରହିଛି । ଏଡାରି ଭିତରେ ସୀମା ବିବାଦର ସମାଧାନ ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ୫ସୂତ୍ରୀ ଚୁକ୍ତିରେ ସହମିତ ପ୍ରକାଶ ପାଇଛି । ଋଷିଆର ମସ୍କୋରେ ଏସସିଓ ବୈଠକରେ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ମଧ୍ୟରେ ଦୁଇ ଘଂଟାରୁ ଅଧିକ ସମୟ ଧରି ଆଲୋଚନା ହେବା ପରେ ସହମତି ପ୍ରକାଶ ପାଇଛି । ବିଭିନ୍ନ ସମୟରେ ହୋଇଥିବା ଆଲୋଚନାରୁ ବାହାରିଥିବା ନିଷ୍କର୍ସକୁ ଗୁରୁତ୍ୱ ଦିଆଯାଇ ବିଭେଦ ଯେପରି ବିବାଦର ରୂପ ନନିଏ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ଦେଶ କହିଛନ୍ତି । ସୀମାରେ ଲାଗି ରହିଥିବା ଉତେଜନାକୁ ହ୍ରାସ କରିବା ପାଇଁ କେତେକ ଦିଗ ଉପରେ ଉଭୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି ସେଗୁଡିକ ହେଲା

୧. ସୀମାରେ ମୁତୟନ ହୋଇଥିବା ଉଭୟ ଦେଶର ସେନାଙ୍କ ମଧ୍ୟରେ ନିୟମିତ ଆଲୋଚନା ଓ ସୈନ୍ୟ ଅପସାରଣ ସହ ବିଭେଦକୁ ବିବାଦରେ ପରିଣତ ନହେବାକୁ ଦେବା ଲାଗି ଉପଯୁକ୍ତ ଦୂରତା ଅବଲମ୍ବଦ କରିବା ଉଚିତ

୨. ସୀମା ସମ୍ପର୍କରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସମସ୍ତ ଚୁକ୍ତି ଓ ପ୍ରୋଟୋକଲକୁ ଉଭୟ ରାଷ୍ଟ୍ର ସମ୍ମାନ ଦେବା

୩. ଉଭୟ ଦେଶ ସୀମାରେ ଶାନ୍ତି ଓ ସଦଭାବ ବଜାୟ ରଖିବା

୪. ସୀମାକୁ ନେଇ ଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର ଲାଗି ସ୍ୱତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା ଜାରି ରଖିବା

୫. ସୀମାରେ ଶାନ୍ତି ବଜାୟ ରଖିବା ଲାଗି ପରସ୍ପରର ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେବାରେ ସହମତି

ଗୋଟିଏ ପଟେ ଉଭୟ ଦେଶ ମଧ୍ୟରେ ୫ସୂତ୍ରୀ ଚୁକ୍ତିରେ ସହମିତ ପ୍ରକାଶ ପାଇଥିବା ବେଳେ ଅପରପକ୍ଷରେ ଏଲଏସିରେ ପୁଣି ଦେଖିବାକୁ ମିଳିଛି ଉତେଜନା । ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଭାରତ ଓ ଚୀନ୍ ସେନା । ଲଦାଖର ଫିଙ୍ଗର ୪ ଅଂଚଳରେ ଚୀନ୍ ସୈନ୍ୟ ଠୁଳ କରିବା ପରେ ଏହାର ଜବାବରେ ଭାରତ ନେଇଛି ବଡ ପଦକ୍ଷେପ । ଚୀନ୍ର ଅନୁପ୍ରବେଶକୁ ଜବାବ ଦେବାକୁ ଏଲଏସିକୁ ଭାରତ ପଠାଇଛି ବୋଫର୍ସ ତୋପ । ଭାରତୀୟ ଜବାନ ଫିଙ୍ଗର ୪ ଯାଏଁ ପହଁଚି ସାରିଛନ୍ତି । ସାମରିକ ଦୃଷ୍ଟି କୋଣରୁ ଏହି ଉଚ୍ଚ ଘାଟି ଉପରେ ଭାରତୀୟ ସୈନ୍ୟଙ୍କ ଦବଦବା ଚୀନର ଚିନ୍ତା ବଢାଇ ଦେଲାଣି । ବର୍ତମାନ ଏଲଏସିରେ ଭାରତର ପ୍ରାୟ ୪୦ ହଜାର ଜବାନ ମୁତୟନ ଅଛନ୍ତି ।