ବ୍ରିଟେନ୍ ପରେ ନରମିଲା ଭାରତ । ହଟିଲା ୧୦ ଦିନିଆ ସଙ୍ଗରୋଧ ନିୟମ ।

91

କନକ ବ୍ୟୁରୋ : ବ୍ରିଟେନର ନିଷ୍ପତ୍ତି ପରେ ନରମିଲା ଭାରତ । ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ବ୍ରିଟେନରେ ୧୦ ଦିନିଆ ସଙ୍ଗରୋଧ ନିୟମକୁ ରଦ୍ଦ କରିବା ପରେ ବର୍ତ୍ତମାନ ଭାରତ ମଧ୍ୟ ନିଷ୍ପତ୍ତି ପରିବର୍ତ୍ତନ କରିଛି । ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅକ୍ଟୋବର ୧ରେ ଜାରି ହୋଇଥିବା ନୂତନ ଟ୍ରାଭେଲ ଆଡ଼ଭାଇଜରୀ ମଧ୍ୟ ଭାରତ ପ୍ରତ୍ୟାହାର କରିନେଇଛି । ଅର୍ଥାତ, ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କୁ ଆଉ ୧୦ ଦିନ ଭାରତରେ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ କେବଳ ଫେବୃଆରୀ ୧୭ରେ ଜାରି କରାଯାଇଥିବା ନିୟମ ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ।

ପୁରୁଣା ନିୟମ ଅନୁଯାୟୀ, ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନେଗେଟିଭ-ଆରଟିପିସିଆର ରିପୋର୍ଟ ଦେଖାଇବା ସହ ଏହି ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ହୋଇନଥିବ । ଏହା ସହିତ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂରେ ସଂକ୍ରମଣର ଲକ୍ଷଣ ଦେଖାଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଅଲଗା ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ଅଛି । ସୂଚନା ଥାଉ କି, କୋଭିସିଲ୍ଡକୁ ବ୍ରିଟେନରେ ଅନୁମତି ଥିବା ସତ୍ତ୍ବେ ଭାରତରେ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଥିଲା । ଆଉ ଏହାର ପ୍ରତିଜଵାବ ଦେବାକୁ ଯାଇ ଭାରତ ସରକାର ନୂଆ ନିୟମ ଜାରି କରିଥିଲେ ।

ଏଥିରେ ବ୍ରିଟେନରୁ ଭାରତ ଆସୁଥିବା ବ୍ୟକ୍ତିମାନଙ୍କୁ ୧୦ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି କୁହାଯାଇଥିଲା । ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହୋଇଥିଲା । ଏହା ପରେ ବ୍ରିଟେନ ଯିବାକୁ ଥିବା ଭାରତୀୟମାନେ ଦୁଇ ଡୋଜ୍ ଟିକା ନେଇଥିଲେ ଆଉ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ହେବନାହିଁ ବୋଲି ବ୍ରିଟେନ ନିୟମ ପରିବର୍ତ୍ତନ କରିଥିଲା । ଆଉ ଆଜି ଭାରତ ସରକାର ମଧ୍ୟ ସଙ୍ଗରୋଧ ନିୟମକୁ ଉଠାଇଦେଇଛନ୍ତି ।