ଲଣ୍ଡନରେ ଚମକିଲେ ଓଡ଼ିଆ ଝିଅ । ବିଶ୍ୱ ମହିଳା ଖୋଖୋ ପ୍ରତିଯୋଗିତାରେ ଚାମ୍ପିଆନ ହେଲା ଭାରତୀୟ ଦଳ ।

103

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ସୁନା ଝିଅ ସସ୍ମିତା ଜିତିଲେ ସ୍ୱର୍ଣ୍ଣ । ଲଣ୍ଡନ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ସିନିୟର ବିଭାଗ ଖୋ ଖୋ ଖେଳରେ ଇଂଲଣ୍ଡକୁ ହରାଇ ବିଶ୍ୱ ଚାମ୍ପିଆନ ହୋଇଛି ଭାରତୀୟ ଦଳ । ଏହି ବିଜୟୀ ଦଳର ଅନ୍ୟତମ ସଦସ୍ୟ ଅଛନ୍ତି ସସ୍ମିତା ନାଥଶର୍ମା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଗ୍ରାମର ସରୋଜ ନାଥଶର୍ମାଙ୍କ ଝିଅ ସସ୍ମିତା ନାଥଶର୍ମା ।

ଖୋ ଖୋ ପ୍ରତିଯୋଗିତାରେ ଭାରତ ବିପକ୍ଷ ଇଂଲଣ୍ଡକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ତଥା ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସସ୍ମିତା । ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସସ୍ମିତା ତିର୍ତ୍ତୋଲ ଆଦିକବି ଶାରଳା ଦାସ କଲେଜରେ ଯୁକ୍ତ ୩ ପଢୁଛନ୍ତି । ସସ୍ମିତାଙ୍କ ବାପା ଗୋଟିଏ ଛୋଟ ବ୍ୟବସାୟ କରନ୍ତି । ଏବେ ସସ୍ମିତାଙ୍କ କୃତି ପାଇଁ ସାରା ଜିଲ୍ଲା ଏବେ ତାଙ୍କୁ ନେଇ ଗୌରାବନ୍ୱିତ ଅନୁଭବ କରୁଛନ୍ତି ।

ସସ୍ମିତା ୨୦୧୧ ମସିହାରେ ତିର୍ତ୍ତୋଲର ମଣିଚରଣ ସାରଳା ଏକାଡେମିରେ ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ କ୍ରୀଡା ଶିକ୍ଷକ ଭୁବନ ମୋହନ ଦାସଙ୍କ ଠାରୁ ପ୍ରଶିକ୍ଷଣ ଲାଭ କରି ଜିଲ୍ଲା ତାଥା ରାଜ୍ୟରେ ଅନେକ ପୁରଷ୍କାର ପାଇଛନ୍ତି । ସେପ୍ଟେମ୍ବର ୨ ତାରିଖ ଠାରୁ ୫ ତାରିଖ ପାର୍ଯ୍ୟନ୍ତ ଲଣ୍ଡନ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଠାରେ ଖୋ ଖୋ ପ୍ରତିଯୋଗିତାରେ ଚମକ୍ରାର ଭୂମିକା ଗ୍ରହଣ କରି ଭାରତୀୟ ମହିଳା ଖୋ ଖୋ ଦଳକୁ ସ୍ୱର୍ଣ୍ଣ ଜିତାଇ ଗୌରବ ଆଣିଛନ୍ତି ସୁନା ଝିଅ ସସ୍ମିତା ।