ବାୟୁସେନା ଦିବସରେ ଶତ୍ରୁ ଦେଖିବ ଦମ : ହିଣ୍ଡେନ ଏୟାରବେସରେ ଗର୍ଜିବ ରାଫେଲ; ପ୍ରତିଷ୍ଠା ଦିବସରେ ଭବ୍ୟ ପରେଡ ସହ ଶକ୍ତି ଦେଖାଇବାକୁ ଲଢୁଆ ଟିମ ପ୍ରସ୍ତୁତ

134

କନକ ବ୍ୟୁରୋ : ଆଜି ଶତ୍ରୁ ଦେଖିବ ବାୟୁସେନାର ଶକ୍ତି । ଆଜି ଭାରତୀୟ ବାୟୁସେନା ପାଳନ କରୁଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡେନ୍ ଏୟାରବେସରେ ବାୟୁସେନା କରିବ ଶକ୍ତି ପ୍ରଦର୍ଶନ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବାୟୁସେନା ମୁଖ୍ୟ, ସ୍ଥଳସେନା ମୁଖ୍ୟ, ଜଳସେନା ମୁଖ୍ୟ ଏବଂ ସିଡିଏସ ବିପିନ ରାୱତ ମଧ୍ୟ ଏଥିରେ ଯୋଗ ଦେବେ । ଏହି ଅବସରରେ ରାଫେଲ୍ ଦେଖାଇବ ଦମ୍ । ମିଳିତ ପରେଡ୍ ସହିତ ଭବ୍ୟ ପ୍ରଦର୍ଶନ କରିବେ ବାୟୁସେନାର ପାରାଟ୍ରୁପସ୍ ଟିମ୍ ।

ଆକାଶରେ କୌଶଳ ପ୍ରଦର୍ଶନ କରିବ ଆକାଶଗଙ୍ଗା ଟିମ୍ । ଏହା ସହିତ ବାୟୁସେନାର ବିଭିନ୍ନ ବିମାନ ମଧ୍ୟ ଆକାଶରେ କୌଶଳ ପ୍ରଦର୍ଶନ କରିବ । ଭାରତୀୟ ବାୟୁସେନାର ସ୍କାଇ ଡାଇଭର୍ସ ଯବାନ ଆକାଶଗଙ୍ଗା ଟିମରେ କଳା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଅବସରରେ ସମସ୍ତଙ୍କ ନଜରରେ ରହିବ ଆକାଶର ବୀର , ବାୟୁସେନାର ଲଢୁଆ ବିମାନ ରାଫେଲ୍ ।

ପ୍ରତିରକ୍ଷା କ୍ଷେତ୍ରରେ ରାଫେଲ୍ କୁ ଦୁର୍ଦ୍ଦଶ ବୋଲି ଗଣା ଯାଇଥାଏ । କାରଣ ଆକାଶରେ ଉଡନ୍ତା ଅବସ୍ଥାରେ ଏହା ଏକା ଥରକେ ୬ଟି ସ୍ଥାନକୁ ଟାର୍ଗେଟ୍ କରିପାରିବ । ଘଂଟା ପ୍ରତି ପ୍ରାୟ ୩ ହଜାର କିଲୋମିଟର ବେଗରେ ଏହା ଉଡାଣ ଭରି ଶତ୍ରୁ ଛାତିରେ ଭେଦ କରିପାରିବାର କ୍ଷମତା ରଖିଛି । ଚଳିତ ବର୍ଷ ବାୟୁସେନା ଏହାର ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା ।