ସାରାଦେଶରେ ଦୁର୍ଗାପୂଜା ଆସର: ଦେବୀ ଦୁର୍ଗାଙ୍କ ସପ୍ତମୀ ତିଥିରେ ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଲା ଶ୍ରଦ୍ଧାଳୁଙ୍କ ଗହଳି 

129

କନକ ବ୍ୟୁରୋ: ଆସିଛନ୍ତି ମାଆ ଦୁର୍ଗା । ମାଆ ଦୁର୍ଗାଙ୍କର ଆଗମନରେ ଗାଁ ଠୁ ସହର ହୋଇ ଉଠିଛି ଉତ୍ସବମୁଖର । ସାରା ଦେଶରେ ଶାରଦୀୟ ଦୁର୍ଗା ପୂଜାକୁ ନେଇ ଦେଖିବାକୁ ମିଳିଛି ଭକ୍ତମୟ ମାହୋଲ । ଖାସ କରି ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ସାଜସଜ୍ଜା ଦେଖିବାକୁ ମିଳିଛି । କଲିକତା ଓ ଅଗରତାଲା ସମେତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଦେବୀ ଦୁର୍ଗାଙ୍କ ଆକର୍ଷଣୀୟ ପ୍ରତିମା ।

ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି କୋଲକାତା ସହର । ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା ପାଇଁ ପୂଜା ମଣ୍ଡପରେ କରାଯାଉଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଦେବୀ ମଣ୍ଡପରେ ପହଁଚି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ଶ୍ରଦ୍ଧାଳୁ । ପେଣ୍ଡାଲ ବାହାରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଗହଳି । ରଙ୍ଗୀନ ଆଲୋକ ମାଳା ଭିତରେ ଭଳି ଭଳି ସାଜସଜ୍ଜା ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି ।

ପେଣ୍ଡାଲ ସହ ଦେବୀ ଦୁର୍ଗାଙ୍କ ମନ୍ଦିରରେ ବି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଦେବୀ ମନ୍ଦିରରେ ଆଜି ଅଷ୍ଟମୀ ପୂଜା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ଏହାଭିତରେ ନବରାତ୍ରୀ କରୁଥିବା ମାନସିକଧାରୀ ମନ୍ଦିରରେ ମାଆଙ୍କ ଦର୍ଶନ କରିଛନ୍ତି ।

ସେହିପରି ହାଇଦ୍ରାବାଦରେ ଦେଖିବାକୁ ମିଳିଛି ଦେବୀ ଦୁର୍ଗାଙ୍କ ସର୍ବୋଚ୍ଚ ପ୍ରତିମା । ସବୁଠାରୁ ଉଚ୍ଚା ଦୁର୍ଗା ପ୍ରତିମା କରି ରେକର୍ଡ କରିଛନ୍ତି ପୂଜା କମିଟି । ୪୫ ଫୁଟ୍ ଉଚ୍ଚ ଏବଂ ପରିବେଶ ଉପଯୋଗୀ ପ୍ରତିମା କରି ବିଶ୍ୱ ରେକର୍ଡ କରିଛି ହାଇଦ୍ରାବାଦ ପୂଜା କମିଟି । ଏହି ସ୍ୱତନ୍ତ୍ର ପ୍ରତିମାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ତେବେ କରୋନା କଟକଣା ଭିତରେ ଦୁର୍ଗାପୂଜା ହେଉଥିବାରୁ ଲୋକଙ୍କୁ ଗାଇଡଲାଇନ୍ ପାଳନ କରିବାକୁ ଅନୁରୋଧ କରିଛନ୍ତି ଆୟୋଜକ ।