ଚାଇନା କିଟକୁ ଭରସା ନାହିଁ । ରାପିଡ ଟେଷ୍ଟିଂରେ ଆସୁଛି ଭୁଲ ରିପୋର୍ଟ, ଲକ୍ଷାଧିକ ରାପିଡ ଟେଷ୍ଟ କିଟ୍ ଫେରାଇବାକୁ କେନ୍ଦ୍ରର ନିର୍ଦ୍ଦେଶ ।

416

କନକ ବ୍ୟୁରୋ : ଚାଇନା କିଟକୁ ଭରସା ନାହିଁ । ଅସଲି ବଦଳରେ ନିମ୍ନମାନର କିଟ ଦେଲା ଚୀନ । ସଙ୍କଟ ସମୟରେ ଭାରତକୁ ଦେଲା ବଡ ଧୋକା । ଆଉ ଏହାର ଜବାବରେ କରୋନାର ମୁକାବିଲା ପାଇଁ ଚୀନ ଠାରୁ କିଣାଯାଇଥିବା ରାପିଡ ଟେଷ୍ଟିଂ କିଟକୁ ଫେରାଇ ଦେବାକୁ ଆଡଭାଇଜରି ଜାରି କରିଛି ଆଇସିଏମଆର । କରୋନା ଯୁଦ୍ଧ ଲଢିବା ପାଇଁ ଚୀନ ଠାରୁ ଲକ୍ଷାଧିକ ରାପିଡ ଟେଷ୍ଟିଂ କିଟ୍ ଆଣିଥିଲା ଭାରତ । କମ ସମୟ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କର ନମୁନା ପରୀକ୍ଷଣ କରିବାକୁ ରାପିଡ ଟେଷ୍ଟ କରାଯାଉଥିଲା । କିନ୍ତୁ ଚୀନ୍ ଠାରୁ କିଣାଯାଇଥିବା ଏହି ରାପିଡ ଟେଷ୍ଟ କିଟ୍ ଭୁଲ ରିପୋର୍ଟ ଦେଉଥିବାର ଖବର ସାମ୍ନାକୁ ଆସିଥିଲା ।

ଚାଇନା କିଟରେ ରିପୋର୍ଟ ଭୁଲ ଆସିବା ପରେ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ଚୀନର ଦୁଇ କମ୍ପାନିରୁ ଅର୍ଡର କରାଯାଇଥିବା ଲକ୍ଷାଧିକ କିଟକୁ ଫେରାଇ ଦେବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏଭଳି ନିମ୍ନମାନର କିଟକୁ ଖୁବଶୀଘ୍ର ଫେରାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । କେବଳ ଭାରତକୁ ନୁହେଁ ବିଶ୍ୱର ଅଧିକାଂଶ ଦେଶକୁ ଚୀନ ଏଭଳି ନିମ୍ନମାନର କିଟ୍ ବିକିଛି । ଏନେଇ ଅନେକ ଦେଶ ଚୀନର ନିମ୍ନମାନର କିଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହାପୂର୍ବରୁ ଗତ ସପ୍ତାହରେ ଚୀନର ୨ କମ୍ପାନୀରୁ ଲକ୍ଷାଧିକ ରାପିଡ ଟେଷ୍ଟ କିଟ୍ କିଣିଥିଲେ କେନ୍ଦ୍ର ସରକାର । ଯାହାକୁ ବିଭିନ୍ନ ରାଜ୍ୟକୁ ପଠାଯାଇଥିଲା । ଏପରିକି ଟେଷ୍ଟିଂ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ୍ ରାପିଡ ଟେଷ୍ଟିଂକୁ ଦୁଇ ଦିନ ବନ୍ଦ ରଖିବାକୁ ଆଇସିଏମଆର ପକ୍ଷରୁ କୁହାଯାଇଥିଲା । ଏହାପରେ ରାପିଡ ଟେଷ୍ଟିଂ କିଟର ସତ ସାମ୍ନାକୁ ଆସିଥିଲା । ରାପିଡ ଟେଷ୍ଟିଂ କିଟ ଭୁଲ ରିପୋର୍ଟ ଦେଉଥିବା ନେଇ ପ୍ରଥମେ ଅଭିଯୋଗ ଆଣିଥିଲା ରାଜସ୍ଥାନ । କାରଣ ଏହି କିଟରେ କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣର ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଆରଟି ପିସିଆରରେ ସ୍ୱାବ ପରୀକ୍ଷଣ ପରେ ଉକ୍ତ କରୋନା ଆକ୍ରାନ୍ତଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତେଣୁ ଏହି ରାପିଡ ଟେଷ୍ଟିଂ କିଟକୁ ନେଇ ଡାକ୍ତରଙ୍କ ମନରେ ସନ୍ଦେହ ଉପୁଜିଥିଲା । ପରବର୍ତ୍ତୀ ସମୟରେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ।
ଚୀନର ନିମ୍ନମାନର ରାପିଡ ଟେଷ୍ଟିଂ କିଟ ଉପରେ ପ୍ରଥମରୁ ୟୁରୋପୀୟ ଦେଶ ଗୁଡିକ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିକି ଭୁଲ ରିପୋର୍ଟ ଆସୁଥିବାରୁ ୟୁରୋପୀୟ ଦେଶ ଗୁଡିକ ପାଖାପାଖି ୨୦ ଲକ୍ଷ କିଟ୍ ଚୀନକୁ ଫେରାଇ ଦେଇଥିଲେ । ଯେଉଁ କିଟକୁ ପରବର୍ତ୍ତୀ ସମୟରେ ଚୀନ୍ ଭାରତକୁ ପଠାଇଥିବା କୁହାଯାଉଛି । ଏସବୁ ଭିତରେ ଆଇସିଏମଆର ଚୀନର ଦୁଇ କମ୍ପାନିରୁ ଆସିଥିବା କିଟକୁ ବ୍ୟବହାର ନ କରି ଫେରାଇ ଦେବାକୁ ରାଜ୍ୟ ଗୁଡିକୁ ଆଡଭାଇଜରି ଜାରି କରିଛି ।