କନକ ବ୍ୟୁରୋ : ଏସିଆ କପର ସୁପର-୪ ମୁକାବିଲାରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଲଗାତାର ୨ଟି ମ୍ୟାଚରେ ପରାଜିତ ହେବା ପରେ ଏସିଆ କପ୍ ଫାଇନାଲ ରେସକୁ ଫେରିବା ଟିମ୍ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡିଛି । ଏବେ ଅନ୍ୟ ଦଳର ଫଳାଫଳ ଉପରେ ଟିମ୍ ଇଣ୍ଡିଆର ଫାଇନାଲ ଖେଳିବା ନିର୍ଭର କରୁଛି । ଖାସକରି ଆଫଗାନିସ୍ତାନ ଓ ପାକିସ୍ତାନ, ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚର ଫଳାଫଳ କଣ ରହିବ ତାହା ଉପରେ ଟିମ୍ ଇଣ୍ଡିଆର ନଜର ରହିବ । କାରଣ ଏହି ଦୁଇଟି ମ୍ୟାଚରୁ ପାକିସ୍ତାନ ଗୋଟିଏ ବି ମ୍ୟାଚ୍ ଜିତିଲେ ଫାଇନାଲ ଟିକେଟ ହାତେଇବ । ଆଉ ଯଦି ପାକିସ୍ତାନ ଦୁଇଟି ମ୍ୟାଚରେ ପରାଜିତ ହୁଏ ତେବେ ଭାରତ ପାଇଁ ସୁଯୋଗ ସୃଷ୍ଟି ହେବ । କିନ୍ତୁ ଏହା ମଧ୍ୟ ଏତେ ସହଜ ନୁହେଁ । କାରଣ ଭାରତକୁ ଆଗାମୀ ମ୍ୟାଚରେ ଆଫଗାନିସ୍ତାନ ଠାରୁ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ ।

Advertisment

ଯଦି ଏମିତି ହୁଏ, ତେବେ ଟିମ୍ ଇଣ୍ଡିଆକୁ ମିଳିବ ଫାଇନାଲ ଟିକେଟ :

- ଆଫଗାନିସ୍ତାନ ଆଜି ମ୍ୟାଚରେ ପାକିସ୍ତାନକୁ ମାତ୍ ଦେବ
- ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ବଡ ବ୍ୟବଧାନରେ ହରାଇବ ଟିମ୍ ଇଣ୍ଡିଆ
- ଶ୍ରୀଲଙ୍କା ନିଜ ଶେଷ ମ୍ୟାଚରେ ପାକିସ୍ତାନକୁ ବଡ ବ୍ୟବଧାନରେ ହରାଇବ
- ଭାରତର ରନ୍ ରେଟ ଆଫଗାନିସ୍ତାନ ଓ ପାକିସ୍ତାନ ଠାରୁ ଭଲ ରହିବା ଆବଶ୍ୟକ

ଯଦି ଏପରି ହୁଏ ତେବେ ଭାରତ ପାଇଁ ଫାଇନାଲ ରାସ୍ତା ଖୋଲିବ । ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନକୁ ଇତିହାସ ରଚିବାକୁ ପଡିବ । କାରଣ ପୂର୍ବରୁ ହୋଇଥିବା ଟି-୨୦ ମୁକାବିଲାରେ ପାକିସ୍ତାନ ବିପକ୍ଷରେ କେବେ ବି ବିଜୟର ସ୍ୱାଦ ଚାଖିପାରିନି ଆଫଗାନିସ୍ତାନ । ତେଣୁ ପାକିସ୍ତାନକୁ ଆଫଗାନିସ୍ତାନ ଟିମ୍ ମାତ ଦେଲେ ଭାରତର ଫାଇନାଲ ଆଶା ପୁଣି ବଢିବ । ସୁପର-୪ ମୁକାବିଲାର ପଏଣ୍ଟ ଟେବୁଲରେ ଏବେ ଶ୍ରୀଲଙ୍କା ଶୀର୍ଷରେ ରହିଥିବା ବେଳେ ପାକିସ୍ତାନ ଦ୍ୱିତୀୟ, ଭାରତ ତୃତୀୟ ଓ ଆଫଗାନିସ୍ତାନ ଚତୁର୍ଥ ସ୍ଥାନରେ ରହିଛି । ତେଣୁ ପାକିସ୍ତାନ ଦୁଇଟି ମ୍ୟାଚ୍ ହାରିଲେ ମଧ୍ୟ ଭାରତକୁ ଆଫଗାନିସ୍ତାନକୁ ବଡ ବ୍ୟବଧାନରେ ହରାଇବାକୁ ପଡିବ ।