କେମିତି ସେମିଫାଇନାଲ ଖେଳିବ ଟିମ୍ ଇଣ୍ଡିଆ? କଣ କହୁଛି ସମୀକରଣ, କେଉଁ ଟିମର ବିଜୟ ଉପରେ ନିର୍ଭର କରିବ ଭାରତର ଭାଗ୍ୟ?

823

କନକ ବ୍ୟୁରୋ : ଦୁଇଟି ପରାଜୟ ଓ ଆଫଗାନିସ୍ତାନ ବିପକ୍ଷରେ ବିଜୟ ପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ହୋଇଛି । ଦୁଇଟି ପରାଜୟ ପରେ ପୁଣିଥରେ ଟି-୨୦ ବିଶ୍ୱକପରେ କମବ୍ୟାକ୍ କରିଛି ମେନ ଇନ୍ ବ୍ଲୁ । ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ଭାରତ ପାଇଁ ପୁଣିଥରେ ସେମିଫାଇନାଲ ଖେଳିବାର ସୁଯୋଗ ସୃଷ୍ଟି କରିଛି । ଆଫଗାନିସ୍ତାନ ବିପକ୍ଷରେ ବିରାଟ ବାହିନୀ ୬୬ ରନରେ ବିଜୟୀ ହୋଇ ଟି-୨୦ ବିଶ୍ୱକପରେ କେବଳ ପ୍ରଥମ ବିଜୟ ହାସଲ କରିନି ବରଂ କୋଟି କୋଟି ଭାରତୀୟ କ୍ରିକେଟ ପ୍ରଂଶସକଙ୍କ ଆଶାକୁ ପୁଣିଥରେ ଉଜ୍ଜିବୀତ କରିଛି । ଏହି ବିଜୟ ଫଳରେ ଟିମ୍ ଇଣ୍ଡିଆର ରନ୍ ରେଟରେ ବେଶ ସୁଧାର ଆସିଛି । ଅନ୍ୟପଟେ ଆଫଗାନିସ୍ତାନର ରନ୍ ରେଟ ଯଥେଷ୍ଟ ଅଧିକ କମିଛି । ଯାହା ଆଫଗାନିସ୍ତାନକୁ ଅଡୁଆରେ ପକାଇପାରେ ।

ଅନ୍ୟପଟେ ସ୍କଟଲାଣ୍ଡ ଓ ନାମ୍ବିଆ ବିପକ୍ଷରେ ଭାରତ ନିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଖେଳିବ । କିନ୍ତୁ ପ୍ରଥମ ୨ଟି ମ୍ୟାଚ୍ ହାରିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ପାଖରେ ସେମିଫାଇନାଲ ଖେଳିବାର ସୁଯୋଗ ରହିଛି । ଏଥିପାଇଁ ଭାରତକୁ ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭରଶୀଳ ହେବାକୁ ପଡିବ । ତେବେ କେମିତି ଭାରତ ସେମିଫାଇନାଲ ଖେଳିବ ତାହା ଉପରେ ଥରେ ନଜର ପକାନ୍ତୁ ।

ସେମିଫାଇନାଲ ମ୍ୟାଚ୍ ଖେଳିବାକୁ ହେଲେ ଭାରତକୁ ଗ୍ରୁପର ଅନ୍ୟ ମ୍ୟାଚ୍ ଉପରେ ନଜର ରଖିବାକୁ ପଡିବ । ଯଦି ନ୍ୟୁଜିଲାଣ୍ଡ ନାମ୍ବିଆକୁ ହରାଇ ଦିଏ ଏବଂ ଆଫଗାନିସ୍ତାନ ଠାରୁ ପରାଜିତ ହୁଏ ଓ ଭାରତ ଆଗାମୀ ୨ଟି ମ୍ୟାଚରେ ବିଜୟୀ ହୁଏ । ତେବେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ଓ ଭାରତର ପଏଣ୍ଟ ସମାନ ରହିବ । ଏଭଳିସ୍ଥଳେ ଭାରତକୁ ନାମ୍ବିଆ ଓ ସ୍କଟଲାଣ୍ଡ ବିପକ୍ଷରେ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । ଯାହାଦ୍ୱାରା ସେମିଫାଇନାଲ ଖେଳିବା ସୁଯୋଗ ସୃଷ୍ଟି ହେବ । କିନ୍ତୁ ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ କମ ବ୍ୟବଧାନରେ ବିଜୟୀ ହେଲେ ଭାରତ ପାଇଁ ସୁଯୋଗ ସୃଷ୍ଟି ହେବ । ଯାହାଦ୍ୱାରା ଭାରତ ଠାରୁ ଅଧିକ ରନ୍ ରେଟ ଆଫଗାନିସ୍ତାନର ରହିବ ନାହିଁ । ସେହିଭଳି ନ୍ୟୁଜିଲାଣ୍ଡ ଯଦି ନାମ୍ବିଆ ବିପକ୍ଷରେ ବିଜୟୀ ହେଉଛି, ତେବେ ଏହି ବିଜୟ ବ୍ୟବଧାନ ଖୁବ୍ କମ ରହିବା ଆବଶ୍ୟକ । ଏହାଛଡା ଯଦି ନ୍ୟୁଜିଲାଣ୍ଡ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟୀ ହେଉଛି କିମ୍ବା ଆଫଗାନିସ୍ତାନ ବଡ ବ୍ୟବଧାନରେ ନ୍ୟୁଜିଲାଣ୍ଡ ଠାରୁ ଜିତିଲେ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇପାରେ ।

ତେବେ ସବୁଠୁ ବଡ କଥା ହେଉଛି, ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ୍ ଖେଳିବା ଭାରତ ପାଇଁ ବେଶ ଲାଭଦାୟକ ହେବ । କାରଣ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ଯଦି ବିଜୟୀ ହେଉଛି ତେବେ ଭାରତକୁ ସେମିଫାଇନାଲ ଖେଳିବାକୁ କେତେ ରନ୍ କିମ୍ବା କେତେ ଓଭର ମଧ୍ୟରେ ଜିତିବାକୁ ପଡିବ ତାହା ସ୍ପଷ୍ଟ ହୋଇଯିବ । ତେଣୁ ଏହାକୁ ଆଧାର କରି ନାମ୍ବିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଉ କିମ୍ବା ନାମ୍ବିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ପରାଜିତ ହେଉ ତାହା ନିଶ୍ଚୟ ଚାହିଁବେ ଭାରତୀୟ କ୍ରିକେଟପ୍ରେମୀ । ଯାହାଦ୍ୱାରା ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଖୋଲିଯିବ ।