ଆମେ ଶାନ୍ତି ଚାହୁଁ, ଉସୁକାଇଲେ ଜବାବ ଦେବୁ। ସୀମାରେ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ। କହିଲେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ।

1,554

କନକ ବ୍ୟୁରୋ: ଭାରତ ଶାନ୍ତି ଚାହେଁ, କିନ୍ତୁ ଉସକାଇଲେ କଡା ଜବାବ ବି ଦିଏ । ଭାରତ-ଚୀନ ସୀମା ଲଢେଇରେ ବଳିଦାନ ଦେଇଥିବା ଯବାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଆରମ୍ଭରୁ ଯବାନଙ୍କ ପାଇଁ ଶ୍ରଦ୍ଧାଂଜଳି ଜଣାଇ ନିରବ ପ୍ରାର୍ଥନା କରିଛନ୍ତି ମୋଦି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ଆମେ ଶାନ୍ତି ଚାହୁଁ, କିନ୍ତୁ କେହି ଆମ ସହ ଲାଗିଲେ ପ୍ରତିପକ୍ଷଙ୍କୁ ଯବାବ ଦେବା ପାଇଁ ଆମେ ଯଥୋଚିତ ସାମର୍ଥ୍ୟ ରଖିଛୁ ।

ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆରମ୍ଭରେ ସେ ସହିଦ ଯବାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ନିଜର ବକ୍ତବ୍ୟ ରଖି ମୋଦୀ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ଭାରତ ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାକୁ ସକ୍ଷମ । ଏ ନେଇ କାହାର ସନ୍ଦେହ ରହିବା ଉଚିତ ନୁହେଁ । ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଆମର ବୀର ଯବାନମାନେ ଶତ୍ରୁକୁ ମାରି ମାରି ମରିଗଲେ । କିନ୍ତୁ ସେମାନଙ୍କ ବଳିଦାନ ବେକାର ଯିବ ନାହିଁ । ତାହାର ଏକ ଦୃଢ ଜବାବ ଦିଆଯିବ । ଶାନ୍ତି ଓ ସଦ୍ଭାବ ଭାରତର ଲକ୍ଷ୍ୟ, କିନ୍ତୁ ବୀରତ୍ୱ ଓ ବିକ୍ରମ ମଧ୍ୟ ଆମ ପରମ୍ପରା ରହିଆସିଛି । ଭାରତକୁ ଉସୁକାଇଲେ, ଏକ ଦୃଢ ଜବାବ ଦେବାକୁ ସକ୍ଷମ ।

ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହି ଘଟଣାରେ ଚୀନର ସବୁଠାରୁ ଅଧିକ ଯବାନ ମୃତାହତ ହୋଇଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ ।