କନକ ବ୍ୟୁରୋ : ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଭାରତ ମଣ୍ଡପମରେ ପହଞ୍ଚିଛନ୍ତି ବିଶ୍ୱ ନେତା । ଜଣଙ୍କ ପରେ ଜଣେ ବିଶ୍ୱନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ସମ୍ମିଳନୀକୁ ପ୍ରଥମେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଥିଲେ ଏକବିଂଶ ଶତାବ୍ଦୀ ବିଶ୍ୱକୁ ନୂଆ ଦିଗ ଦେବ । ବର୍ତ୍ତମାନ ସମସ୍ତଙ୍କ ସହ ମିଶି ଚାଲିବାର ସମୟ । ବିଶ୍ୱରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି । ଜି-୨୦ରେ ଆଫ୍ରିୟୀକ ସଂଘ ସ୍ଥାୟୀ ସଂସଦ୍ୟ ହେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ଏହା ସହ ମରୋକ୍କୋ ଭୂମିକମ୍ପ ନେଇ ଦୁଃଖ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ମରୋକ୍କୋ ସହ ସାରା ବିଶ୍ୱ ଠିଆ ହୋଇଛି । ‘ବସୁଧୈବ କୁଟୁମ୍ବକମ୍‌’ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଉଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏବେ ପ୍ରଥମ ଅଧିବେଶନରେ ‘ୱାନ୍ ଆର୍ଥ’ ଉପରେ ଆଲୋଚନା ଚାଲିଛି । ଦିନ ୧ଟା ୩୦ରେ ଅତିଥିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୩ଟାରେ ଦ୍ୱିତୀୟ ଅଧିବେଶନରେ ‘ୱାନ୍ ଫ୍ୟାମିଲି’ ଉପରେ ଆଲୋଚନା କରାଯିବ । ରାତି ୭ଟାରେ ରାତ୍ରିଭୋଜନ ପାଇଁ ପହଞ୍ଚିବେ ଅତିଥି । ରାତି ୮ଟାରେ ରାତ୍ରିଭୋଜନ ବେଳେ ଅତିଥିଙ୍କ ଆଲୋଚନା ରହିଛି ।

ଆଜି ଦିଲ୍ଲୀରେ ପହଂଚିଛନ୍ତି ଜର୍ମାନ ଚାନସେଲର । ଓଲାଫ୍ ଶୋଲଜ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପାରମ୍ପରିକ ନାଚ ଗୀତ ସହ ଜର୍ମାନ ଚାନ୍ସେଲରଙ୍କୁ ସ୍ୱାଗତ କରାଯାଇଥିଲା । କିଛି ସମୟ ରହି ପାରମ୍ପରିକ ନାଚ ଦେଖିଥିଲେ ଜର୍ମାନ ଚାନ୍ସେଲର । ଏହା ସହ ଆଜି ଅନ୍ୟ ବିଦେଶୀ ନେତା ମଧ୍ୟ ଦିଲ୍ଲୀରେ ପହଂଚିଛନ୍ତି । ସେମାନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି ।

ଜି-୨୦ ସମ୍ମିଳନୀରେ ସବୁ ରାଜ୍ୟର ହସ୍ତତନ୍ତ ପ୍ରଦର୍ଶିତ କରାଯାଇଛି । ବିଭିନ୍ନ ରାଜ୍ୟର ଷ୍ଟଲ ଲାଗିଛି ଏଠାରେ । ଓଡ଼ିଶାର ହସ୍ତତନ୍ତ ମଧ୍ୟ ପ୍ରଦର୍ଶିତ ହୋଇଛି । ଜଗନ୍ନାଥଙ୍କ ମୂର୍ତ୍ତି ସହ ଚାନ୍ଦୁଆ ପ୍ରଦର୍ଶିତ କରାଯାଇଛି । ଏହା ସହ ଅନ୍ୟ ରାଜ୍ୟର ହସ୍ତକଳା ମଧ୍ୟ ସ୍ଥାନ ପାଇଛି । ଯାହାକୁ ଦେଖିବାକୁ ଏହି ଷ୍ଟଲ ଗୁଡ଼ିକରେ ଭିଡ ଜମୁଛି । ବିଦେଶୀ ଅତିଥିମାନେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତକଳାକୁ ବୁଲି ଦେଖିବେ । ଯାହା ଦ୍ୱାରା ଭାରତର କଳା ବିଦେଶରେ ପହଞ୍ଚି ପାରିବ ।