କନକ ବ୍ୟୁରୋ: ଭାରତ –ଚୀନ ସୀମାରେ ଥମୁନି ଉତ୍ତେଜନା । ଲଦାଖର ୩ଟି ଅଂଚଳରେ ଭାରତ ଓ ଚୀନ ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଉଭୟ ଦେଶର ସେନା ମୁତୟନ ଏହି ଅଂଚଳରେ ବୃଦ୍ଧି ପାଇବା ସହ ଉତ୍ତେଜନା ଜାରି ରହିଛି । ଏଭଳି ସ୍ଥିତିରେ ଗତକାଲି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଲେହ ଅଂଚଳ ଗସ୍ତ କରି ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।
ସୂଚନା ଅନୁଯାୟୀ ଲଦାଖ ଅଂଚଳରେ ଉତେଜନା ହ୍ରାସ କରିବା ଲାଗି ଭାରତ ଓ ଚୀନ ସେନା ଏହା ଭିତରେ ୫ଥର କଥାବାର୍ତା ହେଲେଣି । କିନ୍ତୁ କୌଣସି ସମାଧାନ ସୂତ୍ର ବାହାରି ପାରୁ ନାହିଁ । ଚୀନ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ସେନା ମଧ୍ୟ ଚୀନର ଜିଦ୍ ଆଗରେ କୋହଳ ହେବାକୁ ପ୍ରସ୍ତୁତ ନୁହେଁ । କାରଣ ଚୀନ କୌଣସି କାରଣ ନଥାଇ ଭାରତ ଉପରେ ଚାପ ପକାଇବାକୁ ଉଦ୍ୟମ ଚଳାଇଛି । ସୀମାର ନିଜ ଅଂଚଳରେ ଭାରତ ରାସ୍ତା ନିର୍ମାଣ କରୁଥିବାରୁ ଚୀନ ଏହାର ବିରୋଧ କରିବାର କୌଣସି କାରଣ ନାହିଁ ।
ଉତର ଲଦାଖର ଗାଲୱାନ ନାଲା ଅଂଚଳରେ ଚୀନ ସେନା ମୁତୟନ ବଢ଼ାଇବା ପରେ ଭାରତ ମଧ୍ୟ ସେଠାରେ ନିଜର ସ୍ଥିତି ସୁଦୃଢ଼ କରିବା ସହ ଚୀନର ଯେ କୌଣସି ଚାଲକୁ ପଣ୍ଡ କରିବାକୁ ପ୍ରସ୍ତୁତ ରହିଛି । ଚୀନ ଏହି ଅଂଚଳରେ ଭାରତର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଆସୁଛି । କିନ୍ତୁ ଭାରତ ନିଜର ସୁରକ୍ଷା ପାଇଁ କୌଣସି ସାଲିସ୍ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛି । ପୂର୍ବ ଲଦାଖରେ ଗତ କିଛି ଦିନ ତଳେ ଭାରତ ଓ ଚୀନ ସେନା ମଧ୍ୟରେ ମାରପିଟ ହେବା ପରେ ପରିସ୍ଥିତି ଅଧିକ ଜଟିଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/vlcsnap-2020-05-22-08h04m51s167-1.png)