ପୁଣି ଲଜ୍ଜିତ ହେଲା ପାକିସ୍ତାନ । ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବର୍ଜନ କଲା ଭାରତ, ଇମ୍ରାନଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କକ୍ଷତ୍ୟାଗ କଲେ ଭାରତୀୟ ପ୍ରତିନିଧୀ

878

କନକ ବ୍ୟୁରୋ : ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବର୍ଜନ କଲା ଭାରତ । ଇମ୍ରାନ୍ ଖାନଙ୍କ ଏହି ଅଭିଭାଷଣ ଆରମ୍ଭ ହେବା ମାତ୍ରେ ଭାରତୀୟ ପ୍ରତିନିଧି ମିଳିତ ଜାତିସଂଘ କକ୍ଷତ୍ୟାଗ କରି ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି । ନ୍ୟୁୟର୍କରେ ଚାଲିଥିବା ମିଳିତ ଜାତିସଂଘର ୭୫ ତମ ଅଧିବେଶନରେ ଏଥର ଇମ୍ରାନ୍ ଖାନ୍ ଅଭିଭାଷଣ ରଖିବା ସମୟରେ ଭାରତ ସମ୍ପର୍କରେ ଟିପ୍ପଣୀ କରିବାକୁ ଭୁଲି ନଥିଲେ ।

ସବୁଥର ପରି ଏଥର ବି ଇମ୍ରାନ୍ ଖାନ୍ ଭାରତକୁ କାଶ୍ମୀର ପ୍ରସଙ୍ଗ, ଆତଙ୍କବାଦ ନେଇ ଘେରିବାକୁ ଏକ ବିଫଳ ଉଦ୍ୟମ କରିଥିଲେ । ମିଳିତ ଜାତିସଂଘରେ ଏହାର କଡା ଜବାବ ଦେଇଛି ଭାରତ । ଜାତିସଂଘକୁ ଥିବା ଭାରତୀୟ ପ୍ରତିନିଧି ଟିଏସ ନ୍ୟାୟମୂର୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କୂଟନୈତିକ ସ୍ତରରେ ଅତି ନିମ୍ନମାନର ବୋଲି କହିଛନ୍ତି । ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନରେ ମିଛ, ବ୍ୟକ୍ତିଗତ ଆକ୍ରୋଶ ଭରା । ପାକିସ୍ତାନ ତା ମାଟିରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଏବଂ ସୀମାରେ ଆତଙ୍କବାଦକୁ ନଦେଖି ଭାରତ ଉପରେ ଟିପ୍ପଣୀ ରହିଛି । ଏସବୁ ଅତି ନିମ୍ନମାନର କୂଟନୀତି ବୋଲି ଭାରତ କହିଛି ।

ଏହା ସହିତ ଭାରତ କହିଛି ବିଶ୍ୱରେ ଯେଉଁ ଦେଶକୁ ଆତଙ୍କବାଦୀଙ୍କ ପାଳନ କେନ୍ଦ୍ର ବୋଲି ଜଣାଯାଏ, ତାହା ଠାରୁ ମାନବାଧିକାର ନେଇ କିଛି ଶିକ୍ଷା କରିବାର ନାହିଁ । ସେହିପରି ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ସିନ୍ଥିଲ କୁମାର ପାକିସ୍ତାନ ଆଣିଥିବା ସବୁ ଅଭିଯୋଗ ମିଥ୍ୟା ଓ ଅମୂଳକ ବୋଲି କହିଛନ୍ତି । ଏପରି ବିଶ୍ୱ ମଂଚକୁ ପାକିସ୍ତାନ କେବଳ ଭାରତକୁ ଅପମାନ କରିବାକୁ ବ୍ୟବହାର କରିଥାଏ ବୋଲି ସେ କହିଛନ୍ତି ।