କନକ ବ୍ୟୁରୋ: ଭାରତୀୟଙ୍କ ‘ବୟକଟ୍ ମାଳଦ୍ୱୀପ’ ଅଭିଯାନ ପରେ, ଏବେ ସଙ୍କଟରେ ମାଳଦ୍ୱୀପ । ଭାରତୀୟମାନେ ବହୁ ସଂଖ୍ୟାରେ ମାଳଦ୍ୱୀପକୁ ବୟକଟ୍ କରିବାରୁ, ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଏହା ବ୍ୟାପକ ଭାବେ ପ୍ରଭାବିତ କରିଛି । ଏପରିକି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦେବାକୁ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି ।

ଭାରତ ଓ ମାଳଦ୍ୱୀପ ଭିତରେ ରାଜନୈତିକ ବିବାଦ ଜାରି ରହିଛି । ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ କହିଛନ୍ତି ଯେ, ଭାରତୀୟମାନେ ତାଙ୍କ ଦେଶକୁ ବହିଷ୍କାର କରିବା ପରଠୁ ଏହାର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡିଛି । ଏଥିପାଇଁ ସେ ମାଳଦ୍ୱୀପବାସୀଙ୍କ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ବହିଷ୍କାର ଯୋଗୁଁ ମାଳଦ୍ୱୀପ ଉପରେ ପ୍ରଭାବ ପଡିଛି । ଏହାକୁ ନେଇ ସେ ଚିନ୍ତିତ ଅଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସହ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କାଲି ରାତିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲି ଆଉ ତାଙ୍କୁ ଶୁଭକାମନା ଜଣାଇଲି । ମୁଁ ନରେନ୍ଦ୍ର ମୋଦୀଙ୍କ ବହୁତ ବଡ ସମର୍ଥକ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜନୈତିକ ବିବାଦ ଭିତରେ ମାଳଦ୍ୱୀପକୁ ବୟକଟ୍ କରିଛନ୍ତି ଭାରତବାସୀ । ଏମିତି ମାଳଦ୍ୱୀପରୁ ନିଜର ସେନା ହଟାଇଛି ଭାରତ । ଆଉ ଏହାରି ଭିତରେ ମାଳଦ୍ୱୀପର ପର୍ଯ୍ୟଟନକ୍ଷେତ୍ର କିନ୍ତୁ ଏହାଦ୍ୱାରା ପ୍ରଭାବିତ ହେଇଛି । ଆଉ ଏହାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ।