୩ ରାଜ୍ୟର ବିଜେପିର ବିଜୟ ପରେ କାଲି ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେବେନି ମମତା ବାନାର୍ଜୀ

132

କନକ ବ୍ୟୁରୋ : ତିନି ରାଜ୍ୟରେ ବିଜେପିର ବଜୟ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଦେଇଛି ବଡ ଝଟକା । ଇଣ୍ଡିଆ ମେଣ୍ଟ ପାଇଁ ଏହା ସତର୍କର ଘଣ୍ଟି ଭଳି ହୋଇଛି । ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ବୈଠକ ଡକାଯାଇଛି । ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆ ଆଲିଆନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖିଆ ସାମିଲ ହେବେ ନାହିଁ ବୋଲି ଜଣା ପଡିଛି । ଯାହା ପୁଣିଥରେ ଇଣ୍ଡିଆ ମେଣ୍ଟରେ ଫାଟକୁ ଦର୍ଶାଇଛି । ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟର ଚେହେରା ହେବା ଉଚିତ୍ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ବାରମ୍ବାର କୁହାଯାଉଛି ।

ସେପଟେ ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ଏହାକୁ ନେଇ ମଧ୍ୟ ଆରମ୍ଭ ହୋଇ ଯାଇଛି ଟକ୍କର । କଂଗ୍ରେସର ପରାଜୟ ପରେ, ନୀତୀଶ କୁମାରଙ୍କୁ ବିରୋଧୀ ମେଣ୍ଟର ବିଶ୍ୱସନୀୟ ଚେହେରା କରିବାକୁ ଜେଡିୟୁ ପକ୍ଷରୁ ଦାବି କରାଯାଇଛି । ଇଣ୍ଡିଆ ମେଣ୍ଟର ନେତୃତ୍ୱ ନୀତୀଶ କୁମାର ନେବା ଉଚିତ ବୋଲି ଦଳ ପକ୍ଷରୁ ମଧ୍ୟ ବହୁବାର କୁହାଯାଇଛି । ଏହାରି ଭିତରେ ଇଣ୍ଡିଆ ମେଣ୍ଟର ଚେହେରା ମଲ୍ଲିକାର୍ଜୁନ ଖଡଗେଙ୍କୁ କରିବାକୁ କଂଗ୍ରେସ ନିଷ୍ପତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ପରାଜୟର ଦୁଃଖ, ତ ଅନ୍ୟପଟେ ଇଣ୍ଡିଆ ମେଣ୍ଟରେ ଫାଟ ବିରୋଧୀ ଗୋଷ୍ଠୀଙ୍କୁ ଦୁର୍ବଳ କରିଥିବା ବିଜେପି କହିଛି ।