କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ନ୍ୟୁୟର୍କରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୬ ରନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏଥିସହ ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷରେ ରହିଛି ରୋହିତ ବାହିନୀ । ରବିବାର ମ୍ୟାଚ୍ ଥିଲା ଅତି ରୋମାଞ୍ଚପୂର୍ଣ୍ଣ । କ୍ରିକେଟ ପ୍ରେମୀ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁଭଳି ଲଢ଼େଇ ଦେଖିବାକୁ ଚାହାଁନ୍ତି ତାହା ପୁଣି ଥରେ ଦେଖିବାକୁ ମିଳିଛି ।

ନ୍ୟୁୟର୍କର ଲୋ ସ୍କୋରିଂ ପିଚରେ ପ୍ରଥମେ ବ୍ୟାଟି କରି ମାତ୍ର ୧୧୯ ରନ କରିପାରିଥିଲା ମେନ୍ ଇନ ବ୍ଲୁ । ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆକୁ ଅଲ ଆଉଟ୍ କରିବାରେ ସଫଳ ହୋଇଛିି ପାକିସ୍ତାନ । ଭାରତୀୟ ଦଳର ସବୁଠୁ ଅଭିଜ୍ଞ ବ୍ୟାଟ୍ସମାନ ରୋହିତ ଏବଂ କୋହଲି ଅଳ୍ପ ରନ କରି ଆଉଟ ହେବା ପରେ ଋଷଭ ପନ୍ଥଙ୍କ ୪୨ ରନ ଓ ଅକ୍ଷର ପଟେଲଙ୍କ ୨୦ ରନ ବଳରେ ଭାରତ ୧୧୯ ରନ କରିବାକୁ ସକ୍ଷମ ହୋଇଥିଲା । ଏହାପରେ ଭାରତୀୟ ବୋଲର ମାନେ ଚମକ୍ରାର ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଛନ୍ତି । ବୁମରାଙ୍କ ଘାତକ ବୋଲିଂ ଆଗରେ ପିଚ୍ରେ ତିଷ୍ଟି ପାରି ନଥିଲେ ପାକିସ୍ତାନର କୌଣସି ବି ବ୍ୟାଟ୍ସମ୍ୟାନ୍ । ବୁମରା ୩ଟି ୱିକେଟ ନେବା ସହ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ହୋଇଛନ୍ତି । ସେହିପରି ପାଣ୍ଡ୍ୟାଙ୍କୁ ୨, ଅର୍ଶଦୀପ ପଟେଲଙ୍କୁ ଗୋଟିଏ ଏବଂ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ ମିଳିଛି । ତେବେ ଏହି ବିଶ୍ୱକପରେ ଉଭୟ ଟିମ୍ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ପାକିସ୍ତାନ ଦୁଇଟି ଯାକ ମ୍ୟାଚ୍ ହାରଛି ଏବଂ ଭାରତ ସମସ୍ତ ମ୍ୟାଚ୍ ଜିତିଛି ।

ସୁପର ଓଭରରେ ନୂଆ ଟିମ୍ ଆମେରିକାଠୁ ପାକିସ୍ତାନ ହାରିଥିବା ବେଳେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି । ସେହିପରି ରବିବାର ମହା ମୁକାବିଲାରେ ରୋହିତ ବାହିନୀଠାରୁ ପରାସ୍ତ ହୋଇଛି ବାବର ବାହିନୀ । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୮ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ୭ଟିରେ ବିଜୟୀ ହୋଇଛି ଭାରତ ।