ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ : ଭାରତ ବିଜେତା; କୋଟିଏ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ : ଭାରତ ବିଜେତା; କୋଟିଏ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଚାମ୍ପିଅନସିପରେ ବାଜି ମାରିଲା ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଖେଳାଯାଇଥିବା ମ୍ୟାଚରେ ଲେବାନନକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି ଭାରତ । ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇନଥିଲା । ଅଧିନାୟକ ସୁନିଲ ଛେତ୍ରୀ  ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍‌ଟେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ୩୮ ବର୍ଷୀୟ ଛେତ୍ରୀ ତାଙ୍କ ୮୬ତମ ଅନ୍ତର୍ଜାତୀୟ ଗୋଲ୍‌ ଦେଇଥିଲେ ।

କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା । ଏହି ଅର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ଖେଳ ଖେଳି ଅନେକ ଥର ଲେବାନନ୍‌ର ଗୋଲ୍‌ପୋଷ୍ଟର ନିକଟତର ହୋଇଥିଲା । ହେଲେ ଅଳ୍ପ ଅଳ୍ପରେ ଗୋଲ୍‌ ଦେବାରୁ ବଞ୍ଚିତ ହୋଇଥିଲା । ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଗୋଲ୍‌ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା । ଡାହାଣପଟୁ ଲାଲଲିଆଞ୍ଜୁଆଲା ଚାଙ୍ଗଟେଙ୍କ ତଳୁଆ ପାସ୍‌କୁ ଅଧିନାୟକ ସୁନିଲ ଛେତ୍ରୀ  ସିଧା ଲେବାନନର ଗୋଲ୍‌ପୋଷ୍ଟ୍‌କୁ ବଲ୍‌ ପଠାଇ ଦେଇଥିଲେ । ଏହା ପରେ ଚାଙ୍ଗ୍‌ଟେଙ୍କ ଗୋଲ୍‌ରେ ଭାରତ ସ୍ଥିତି ୨-୦ କରି ନେଇଥିଲା ।

ଦୁଇଟି ଯାକ ଗୋଲ୍‌ରେ ଅବଦାନ ରଖିଥିବା ଚାଙ୍ଗଟେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ସନ୍ଦେଶ ଝିଙ୍ଗାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ରବିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଟ୍ରଫି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe