ମାଞ୍ଚେଷ୍ଟରରେ ମାଟି କାମୁଡିଲା ୱେଷ୍ଟଇଣ୍ଡିଜ୍ । ବିଶ୍ୱକପରେ ବିଜୟଧାରା ବଜାୟ ରଖିଲା ବିରାଟ ବାହିନୀ ।

1,953

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଏକମାତ୍ର ଦଳ ଭାବେ ବିଜୟ ଅଭିଯାନ ଜାରି ରଖିଛି ବିରାଟ ବାହିନୀ । ଗୋଟିଏ ପରେ ଗୋଟିଏ ଶିକାର କରିଚାଲିଛି ଭାରତ । ପ୍ରଥମେ ଦକ୍ଷିଣଆଫ୍ରିକା, ପରେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ଆଉ ଆଜି ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଛି ଭାରତ । ଆଉ ଏହି ବଡ ବିଜୟ ପରେ ଭାରତ ୨୦୧୯ ବିଶ୍ୱକପ ସେମିଫାଇନାଲର ଦ୍ୱାର ଦେଶରେ ପହଞ୍ଚିଥିବା ବେଳେ ୱେଷ୍ଟଇଣ୍ଡିଜର ବିଶ୍ୱକପ ସ୍ୱପ୍ନ ଅଧାରେ ରହିଯାଇଛି ।

ଆଇସିସି ବିଶ୍ୱକପ୍‌-୨୦୧୯ର ୩୪ତମ ମ୍ୟାଚ୍‌ରେ ଭାରତର ବିଜୟ ଧାରା ଜାରି ରହିଛି । ଟିମ୍‌ ଇଣ୍ଡିଆ ଗୁରୁବାର ୱେଷ୍ଟଇଣ୍ଡିଜକୁ ୧୨୫ ରନ୍‌ରେ ପରାସ୍ତ କରିଛି। ମହମ୍ମଦ ସାମି ଏହି ମ୍ୟାଚ୍‌ରେ ୬.୨ ଓଭରରେ ୧୬ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇଛନ୍ତି । ପୂର୍ବରୁ ସାମି ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍‌ ସହ ୪ଟି ଓ୍ଵିକେଟ୍‌ ନେଇଥିଲେ । ୟୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରାଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି । ୱେଷ୍ଟଇଣ୍ଡିଜ୍‌ ୩୪.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୩ ରନ୍‌ କରିଛି ।

ଇଂଲଣ୍ଡର ମାଞ୍ଚେଷ୍ଟରରେ ଆଜି ଖେଳାଯାଇଥିବା ବିଶ୍ୱକପର ୩୪ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ । ଏହି ରୋମାଞ୍ଚକର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ପୁଣି ଥରେ ଖରାପ ଆରମ୍ଭ କରିଥିଲା ବିରାଟ ବାହିନୀ । ବିଶ୍ୱକପ୍ ଲଢ଼େଇରେ ୱେଷ୍ଟଇଣ୍ଡିଜ୍ ଆଗରେ ୨୬୯ର ରନ ବିଜୟ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ । ଆଜି ପୁଣିଥରେ ପଦାରେ ପଡିଯାଇଥିଲା ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର ।

ମାଂଚେଷ୍ଟରର ଧିମା ପଡ଼ିଆରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା କୋହଲି ବାହିନୀ । ହେଲେ ପ୍ରଥମରୁ ହିଁ ୱେଷ୍ଟଇଣ୍ଡିଜର ବୋଲର ପ୍ରଭାବ ବିସ୍ତାର କରିଥିବା ଦେଖିବାକୁ ମିଳିଥିଲା । ଦଳୀୟ ସ୍କୋର ମାତ୍ର ୨୯ ଥିବା ବେଳେ ଟିମ୍ ଇଣ୍ଡିଆକୁ ଲାଗିଥିଲା ପ୍ରଥମ ଝଟକା । ଓପନର୍ ରୋହିତ ଶର୍ମା ୧୮ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ । ଲୋକେଶ ରାହୁଲ ଓ ବିରାଟ୍ କୋହଲିଙ୍କ ଯୋଡି ସ୍କୋରକୁ ଆଗକୁ ନେଇଥିଲେ । ତେବେ ୨୧ ତମ ଓଭରରେ ରାହୁଲ ୪୮ ରନ୍ କରିଥିବା ବେଳେ ହୋଲ୍ଡରଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ସେତେବେଳେ ଦଳର ସ୍କୋର ଥିଲା ୯୮ । ଏହା ପରେ ବିଜୟ ଶଙ୍କର ମାତ୍ର ୧୪ ରନ୍ କରିବାକୁ ସମର୍ଥ ହୋଇଥିଲେ । ବିଜୟ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆର ସ୍କୋର ପୁଣି ଥରେ ଧିମା ହୋଇଯାଇଥିଲା । ୱେଷ୍ଟଇଣ୍ଡିଜର ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଟି ପାରିନଥିଲ କେଦାର ଯାଦବ । ମାତ୍ର ୭ ରନ୍ କରି ସେ ପ୍ୟାଭିଲିୟନକୁ ଫେରିଥିଲେ । ପୁଣିଥରେ ଟିମ୍ ଇଣ୍ଡିଆର ମଧ୍ୟ କ୍ରମ ବ୍ୟାଟିଂ ଫେଲ୍ ମାରିଥିଲା । ତେବେ ୩୯ ତମ୍ ଓଭରରେ ପୁଣି ଏକ ବଡ଼ ଝଟକା ଦେଇଥିଲେ ହୋଲ୍ଡର । ବିରାଟ୍ କୋହଲି ୭୨ ରନ୍ କରିଥିବା ବେଳେ ହୋଲଡରଙ୍କ ବଲରେ କ୍ୟାଚ୍ ଟେକି ଦେଇଥିଲେ । ସେତେବେଳକୁ ୫ ୱିକେଟ୍ ହରାଇ ଭାରତ କରିଥିଲା ୧୮୦ ରନ୍ । ୪୨ ଓଭରରେ ୨୦୦ ରନ୍ କରିଥିଲା ଭାରତ । କିଛି ରନ୍ର ବ୍ୟବଧାନରେ ୱିକେଟ୍ ହରାଉଥିବାରୁ ଟିମ୍ ଇଣ୍ଡିଆ ବଡ଼ ସ୍କୋର ଅଭିମୁଖେ ଯାଇପାରିନଥିଲା । ବଡ଼ ସଟ୍ ମାରିବା ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହୋଇନଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୪୬ ରନ୍ କରିଥିବା ବେଳେ ବଡ଼ ସଟ୍ ଖେଳିବାକୁ ଯାଇ କଟରେଲଙ୍କ ବଲରେ ଆଉଟ୍ ହୋଇ ଯାଇଥିଲେ । ଖାତା ଖୋଲିବା ପୂର୍ବରୁ ସେହି କଟରେଲଙ୍କ ବଲରେ କ୍ୟାଚ୍ ଟେକି ଦେଇଥିଲେ ମହମ୍ମଦ ସାମି । ତେବେ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଅର୍ଦ୍ଧଶତକ ହାସଲ କରିଥିଲେ ମହେନ୍ଦ୍ର ସିଂହ ଧୋନୀ । ଶେଷ ଓଭରରେ ୨ଟି ଛକା ମାରି କିଛିଟା ରୋମାଂଚ ଭରି ଦେଇଥିଲେ ଧୋନୀ । ଧୋନୀ ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ଭାରତ ୨୬୮ ରନ୍ କରିବାକୁ ସମର୍ଥ ହୋଇଥିଲା । ୱେଷ୍ଟଇଣ୍ଡିଜର ରୋଚ୍ ୩ଟି ୱିକେଟ୍ ନେଇଥିବା ବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ହୋଲଡର । ସେପଟେ ୭୨ ରନ୍ କରିଥିବା ବିରାଟ୍ କୋହଲି ଆଜି ଆଉ ଏକ ରେକର୍ଡ ନିଜ ନାଁରେ ଲେଖାଇଛନ୍ତି । ବ୍ରାଏନ୍ ଲାରା ଓ ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ରୁତତମ ୨୦ ହଜାର ରନ୍ ପୂରଣ କରିଛନ୍ତି କୋହଲି ।