ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ: ୩-୦ରେ ସିରିଜ ପୋଛିନେଲା ରୋହିତ ବାହିନୀ

212

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୋଛି ନେଲା ଭାରତ । ଆଜି ଶେଷ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ୯୦ ରନ ବ୍ୟବଧାନରେ ପରାସ୍ତ କରିଛି । ଫଳରେ ଭାରତ ୩-୦ରେ ସିରିଜ କବଜା କରିଛି । ଭାରତ ପକ୍ଷରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦୁଇ ଓପନର ରୋହିତ ଓ ଗିଲ ଶତକ ହାସଲ କରିଥିବା ବେଳେ କୁଦଦୀପ ଓ ସାର୍ଦ୍ଦୁଲ ଠାକୁର ୩ଟି ଲେଖାଏଁ ୱିକେଟ ନେଇଥିଲେ ।

ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦଳ ଆରମ୍ଭ ବିସ୍ଫୋରକ ବ୍ୟାଟିଂ କରିଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଶତକ ହାସଲ କରିଥିଲେ । ଦଳ ପକ୍ଷରୁ ରୋହିତ ୧୦୧, ଗିଲ ୧୧୨, ହାର୍ଦ୍ଦିକ ପାଣ୍ଡ୍ୟା ୫୪ ଓ ବିରାଟ କୋହଲି ୩୬ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିବାରେ ସଫଳ ହୋଇଛି ।

୩୮୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଗୋଟିଏ ୱିକେଟ ହରାଇଥିଲେ ବି ବିସ୍ଫୋରକ ଆରମ୍ଭ କରିଥିଲା । ଦଳ ପକ୍ଷରୁ ଡିଭୋନ କନୱେ ୧୩୮ ରନ, ହେନରି ନିକୋଲ୍ସ ୪୨ ଓ ମିଚେଲ ସାଣ୍ଟନର ୩୪ ରନ କରିଥିଲେ । ଫଳରେ ୪୧ ଓଭର ୨ଟି ବଲ ଖେଳି ୨୯୫ ରନରେ ଅଲଆଉଟ ହୋଇ ପରାଜିତ ହୋଇଥିଲା ।