ପୁଣି ସୁପର ଓଭରରେ ଟିମ୍ ଇଣ୍ଡିଆର ସୁପର ସୋ’ । ଚତୁର୍ଥ ଟି-୨୦ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ସାର୍ଦ୍ଦୁଲ ହେଲେ ଶ୍ରେଷ୍ଠ ଖେଳାଳୀ ।

635

କନକ ବ୍ୟୁରୋ : ପୁଣି ସୁପର ଓଭରରେ ସୁପର ସୋ’ ଦେଖାଇଲା ଟିମ୍ ଇଣ୍ଡିଆ । ହାମିଲଟନରେ ଖେଳାଯାଇଥିବା ତୃତୀୟ ଟି-୨୦ ଭଳି ୱେଲିଂଟନ ଟି-୨୦ରେ ମଧ୍ୟ ସୁପର ଓଭରରେ ଦମଦାର ବିଜୟ ହାସଲ କରିଛି ବିରାଟ ବାହିନୀ । ଏଥିସହିତ ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୪-୦ରେ ଆଗୁଆ ରହିଛି । ସିରିଜର ଅନ୍ତିମ ମ୍ୟାଚ ଆସନ୍ତା ୨ ତାରିଖରେ ଖେଳାଯିବ ।

ଆଜି ୱେଲିଙ୍ଗଟନରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ମନିଷ ପାଣ୍ଡେଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ୮ଟି ୱିକେଟ୍ ହରାଇ ୧୬୫ ରନ୍ କରିଥିଲା ।

୧୬୬ ରନର ବିଜୟଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦମଦାର ବ୍ୟାଟିଂ କରି ସହଜ ବିଜୟ ଆଡକୁ ଅଗ୍ରସର କରିଥିଲା । ଶେଷ ଓଭରରେ ବିଜୟ ପାଇଁ ମାତ୍ର ୭ ରନର ଆବଶ୍ୟକତା ଥିଲା । କିନ୍ତୁ ସାର୍ଦ୍ଦୁଲ ଠାକୁରଙ୍କ ସାନଦାର ବୋଲିଂ ଆଗରେ ଆଣ୍ଠେଇଥିଲା କିୱି ଦଳ । ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକତା ଥିବା ବେଳେ ଦଳ ୧ ରନ କରିବାକୁ ସକ୍ଷମ ହୋଇଥିଲା । ଏବଂ ମ୍ୟାଚର ନିଷ୍ପତ୍ତି ଯାଇ ପହଞ୍ଚିଥିଲା ସୁପର ଓଭରରେ ।

ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୩ ରନ୍ କରିଥିଲା । ଜବାବରେ ଭାରତ ପକ୍ଷରୁ ବ୍ୟାଟିଂ କରିବାକୁ ମୈଦାନକୁ ଆସିଥିଲେ ଅଧିନାୟକ ବିରାଟ କୋହଲିଙ୍କ ସହ ଲୋକେଶ ରାହୁଲ । ପ୍ରଥମ ବଲରେ ଏକ ଦର୍ଶନୀୟ ଛକା, ଦ୍ୱିତୀୟ ବଲରେ ଏକ ସୁନ୍ଦର ଚୌକା ମାରି ତୃତୀୟ ବଲରେ ଆଉଟ୍ ହୋଇଯାଇଥିଲେ ରାହୁଲ । ଏହା ପରେ ଏକ ସୁନ୍ଦର ଚୌକା ସହ ଦଳକୁ ବଡ ବିଜୟ ଦେଇଥିଲେ ବିରାଟ । ଦମଦାର ବୋଲିଂ ପ୍ରଦର୍ଶନ ପାଇଁ ସାର୍ଦ୍ଦୁଲ ଠାକୁରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।