୧୯ ବର୍ଷ କମ୍ ବିଶ୍ୱକପରେ ଦମ୍ ଦେଖାଇଲା ଭାରତ । ନେପାଳକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଦଳ ।

576

କନକ ବ୍ୟୁରୋ: ୧୯ ବର୍ଷରୁ କମ୍ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଏହି କନିଷ୍ଠ ବିଶ୍ୱକପ୍ରେ ଭାରତ ଆରମ୍ଭରୁ ଦମ୍ଦାର ପ୍ରଦର୍ଶନ କରିଆସିଛି । ଆଉ କ୍ରମାଗତ ୫ଟି ମ୍ୟାଚ୍ ଜିତି ସେମିଫାଇନାଲ୍ ଟିକେଟ୍ କାଟିଛି । ଶୁକ୍ରବାର ଭାରତ ତା’ର ସୁପର୍-ସିକ୍ସ ମ୍ୟାଚରେ ନେପାଳକୁ ୧୩୨ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୯୭ ରନ୍ କରିଥିଲା । ଦଳ ତରଫରୁ ଅଧିନାୟକ ଉଦୟ ସାହାରନ ୧୦୦ ରନ୍ ଏବଂ ସଚିନ ଦାସ ୧୧୬ ରନ୍ର ଇନିଂସ ଖେଳିଥିଲେ । ଜବାବରେ ନେପାଳ ଟିମ୍ ୫୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ବୋଲିଂରେ ଭାରତ ପକ୍ଷରୁ ସୌମି ପାଣ୍ଡେ ୪ଟି ଓ ଅର୍ଶିନ କୁଲକର୍ଣ୍ଣି ୨ଟି ୱିକେଟ୍ ନେଇଥିଲେ । ଭାରତ ବ୍ୟତୀତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ତେବେ ଚତୁର୍ଥ ଦଳ ଭାବେ ପାକିସ୍ତାନ କିମ୍ବା ବାଂଲାଦେଶ ସେମିରେ ପହଂଚି ପାରନ୍ତି ।