କନକ ବ୍ୟୁରୋ : ଫାଇନାଲରେ ଟିମ୍ ଇଣ୍ଡିଆ । ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲ ଟିକେଟ ହାତେଇଛି ଭାରତ । ସେମିଫାଇନାଲରେ ବାଂଲାଦେଶକୁ ୧୦୩ ରନର ବଡ ବ୍ୟବଧାନରେ ମାତ୍ ଦେଇ ଫାଇନାଲରେ ସ୍ଥାନ ପକ୍କା କରିଛି ମେନ୍ ଇନ୍ ବ୍ଲୁ । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୪୩ ରନ୍ ସଂଗ୍ରହ କରିଥିଲା । ଭାରତ ତରଫରୁ ଶାଇକ୍ ରଶିଦ୍ ୧୦୮ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୯୦ ରନ ସଂଗ୍ରହ କରିଥିଲେ । ଅଧିନାୟକ ୟଶ ଧୁଲ ୨୯ଟି ବଲରେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୬ ଓ ରାଜ୍ ବାଓ୍ଵା ୪୦ଟି ବଲ୍ ଖେଳି ଗୋଟିଏ ଚୌକା ସହ ୨୩ ରନ କରିଥିଲେ । ଭାରତ ପାଇଁ ଦ୍ଵିତୀୟ ସର୍ବାଧିକ ସ୍କୋର ଜଣେ ଦଶମ ସ୍ଥାନର ବ୍ୟାଟର୍ କରିଥିଲେ। ଦଶମ ସ୍ଥାନର ବ୍ୟାଟର୍ ଭିକି ଓଷ୍ଟଓ୍ଵାଲ ୧୮ଟି ବଲ୍ ଖେଳି ୩ଟି ଚୌକା ସହ ଦ୍ରୁତ ୨୮ ରନ୍ କରିଥିଲେ ଯାହା ଫଳରେ ଭାରତ ସମ୍ମାନଜନକ ୨୪୩ ରନ୍ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା ।ବାଂଲାଦେଶ ତରଫରୁ ରାକିବୁଲ୍ ହାସନ୍ ୧୦ ଅଭରରେ ୪୧ ରନ ଦେଇ ଭାରତର ସର୍ବାଧିକ ୩ଟି ଓ୍ଵିକେଟ ଅକ୍ତିଆର କରିଥିଲେ ।
୨୪୪ ରନର ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶ ବ୍ୟାଟିଂ କରି ୩୮.୨ ଓଭରରେ ମାତ୍ର ୧୪୦ ରନରେ ଅଲଆଉଟ ହେଇଯାଇଥିଲା । ମାତ୍ର ୫୯ ରନରେ ହିଁ ବାଂଲାଦେଶର ଅଧା ବ୍ୟାଟର୍ ପ୍ୟାଭିଲିଅନକୁ ଚାଲିଯାଇଥିଲେ । ବାଂଲାଦେଶ ତରଫରୁ ଆରିଫୁଲ ଇସ୍ଲାମ ୭୭ଟି ବଲ ଖେଳି ଗୋଟିଏ ଚୌକା ସହ ସର୍ବାଧିକ ୪୨ ରନ କରିଥିଲେ । ମାହିଫିଜୁଲ୍ ଇସ୍ଲାମ ୨୩ଟି ବଲ୍ ଖେଳି ୫ଟି ଚୌକା ସହ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ରାଜବର୍ଧନ ହାଙ୍ଗରଗେକର,ରବି କୁମାର, ରାଜ୍ ବାଓ୍ଵା ଓ ଭିକି ଓଷ୍ଟଓ୍ଵାଲ ୨ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ । ନିଶାନ୍ତ ସାନ୍ଧୁ ଓ କୌଶଲ୍ ତାମ୍ବେଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା ।
ଗୋଟିଏ ପଟେ ଭାରତ ଫାଇନାଲ ଟିକେଟ ହାତେଇଥିବା ବେଳେ ଅନ୍ୟପଟେ ପାକିସ୍ତାନ ଟାଇଟଲ ରେସରୁ ବାଦ୍ ପଡିଛି । ଅନ୍ୟ ଏକ ସେମିଫାଇନାଲରେ ପାକିସ୍ତାନକୁ ଶ୍ରୀଲଙ୍କା ୨୨ ରନରେ ମାତ୍ ଦେଇ ଫାଇନାଲରେ ଏଣ୍ଟ୍ରି କରିଛି । ଆସନ୍ତାକାଲି ତଥା ବର୍ଷର ଶେଷ ଦିନରେ ଫାଇନାଲ ମୁକାବିଲା ଖେଳାଯିବ ।