ପ୍ରଥମ ମ୍ୟାଚରେ ଭାରତର କଙ୍ଗାରୁ ଶିକାର । ବିଜୟ ଭେଟିଦେଲେ କୋହଲି- କେ ଏଲ ଯୋଡି ।

823

କନକ ବ୍ୟୁରୋ: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ । ପ୍ରଥମ ମ୍ୟାଚରେ କଲା କଙ୍ଗାରୁ ଶିକାର । ଆଜି ଚେନ୍ନାଇରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଛି ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନିଜର ପ୍ରଥମ ମ୍ୟାଚରେ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ।

ଆଜି ପ୍ରଥମରୁ ହିଁ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ । ହେଲେ ଦଳକୁ ପ୍ରଥମରୁ ହିଁ ଝଟକା ଦେଇଥିଲେ ଦ୍ରୁତ ବୋଲର ଜଶପ୍ରୀତ ବୁମରା । ଖାତା ଖୋଲିବା ପୂର୍ବରୁ ମିଚେଲ ମାର୍ଶ ପ୍ୟାଭିଲିୟନ ଫେରିଥିଲେ । ତେବେ ୱାର୍ଣ୍ଣର ଏବଂ ସ୍ମିଥ ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ହେଲେ ତାଙ୍କ ପରେ କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେତେଟା ବଡ ସ୍କୋର କରିପାରିନଥିଲେ । ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ୧୯୯ ରନରେ ଅଲଆଉଟ୍ ହେଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୩ଟି ସଫଳତା ପାଇଥିବାବେଳେ, କୁଲଦୀପ ଏବଂ ବୁମରା ୨ଟି ଲେଖାଏଁ ସଫଳତା ପାଇଥିଲେ ।

ଅନ୍ୟପଟେ ୨୦୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ହିଁ ବ୍ୟାକଫୁଟକୁ ଠେଲିହେଇଯାଇଥିଲା । ଦଳ ମାତ୍ର ୨ ରନ୍ ଭିତରେ ନିଜର ୩ ଜଣ ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା । ବିନା କୌଣସି ରନ୍ କରି ପ୍ୟାଭିଲିୟନ ଫେରିଥିଲେ ରୋହିତ ଶର୍ମା, ଇଶାନ କିଶାନ ଏବଂ ଶ୍ରେୟାସ ଆୟର । ହେଲେ କୋହଲି ଏବଂ ରାହୁଲ ହିଁ ଭାରତକୁ ଭେଟି ଦେଇଥିଲେ ବଡ ବିଜୟ । ପ୍ରଥମ କୋହଲି ୧୧୬ ବଲରୁ ୮୫ ରନ୍ କରିବା ସହିତ ରାହୁଲ ମଧ୍ୟ ୯୭ ରନ୍ କରିଥିଲେ । ଯାହା ଫଳରେ ରୋହିତ ବାହିନୀ ମାତ୍ର ୪୧.୨ ବଲରେ ନିଜର ଲକ୍ଷ୍ୟ ହାସଲ କରିଥିଲା ।