ମ୍ୟାଚ୍ ଜିତିଲା, ସିରିଜ ହାରିଲା ଟିମ୍ ଇଣ୍ଡିଆ । ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ମାତ୍ ଦେଇ ସମ୍ମାନ ବଞ୍ଚାଇଲା ବିରାଟ ବାହିନୀ ।

305

କନକ ବ୍ୟୁରୋ : ଶେଷ ମ୍ୟାଚରେ ବଡ଼ ବିଜୟ ହାସଲ କଲା ବିରାଟ ବାହିନୀ । ତୃତୀୟ ମ୍ୟାଚରେ ୧୩ରନରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ଭାରତ । ଶେଷ ମ୍ୟାଚ୍ ଜିତିଥିଲେ ମଧ୍ୟ ୨-୧ ବ୍ୟବଧାନରେ ସିରିଜ କବଜା କରିଛି ଅଷ୍ଟ୍ରେଲିଆ ।  ପ୍ରଥମ ୨ଟି ମ୍ୟାଚ୍ ହାରି ସିରିଜ ହାତଛଡା କରିଥିବା ଟିମ୍ ଇଣ୍ଡିଆ ସମ୍ମାନ ବଞ୍ଚାଇବାକୁ ମୈଦାନକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ ବାହିନୀକୁ ପ୍ରଥମରୁ ଝଟକା ଲାଗିଥିଲେ ମଧ୍ୟ ନବାଗତ ଶୁଭମାନ ଗିଲ ଓ କୋହଲି ଇନିଂସ ସମ୍ଭାଳିଥିଲେ । କୋହଲିଙ୍କ ଅର୍ଦ୍ଧଶତକ ସହ ଦଳ ଶହେ ରନ୍ ପାର କରିଥିଲା । ତେବେ କୋହଲିଙ୍କ ୱିକେଟ ସହ ଦଳ ଆଡକୁ ପୁଣିଥରେ ସଙ୍କଟ ମାଡି ଆସିଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଜାଡେଜାଙ୍କ ଧୂଆଁଧାର ଇନିଂସ ଭାରତର ସମ୍ମାନ ବଞ୍ଚାଇବା ସହ ଅଷ୍ଟ୍ରେଲିଆ ସାମ୍ନାରେ ୩୦୩ ରନର ଏକ ବଡ ଟାର୍ଗେଟ ଛିଡା କରିଥିଲା ।

୩୦୩ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ନବାଗତ ନଟରାଜନ ଦେଇଥିଲେ ବଡ ଝଟକା । ପ୍ରଥମରୁ ୱିକେଟ ହରାଇ ଦଳ ସଙ୍କଟଜନକ ସ୍ଥିତିରେ ଥିବା ବେଳେ ଆରୋନ ଫିଞ୍ଚ ଗୋଟିଏ ପଟେ ରନର ଗତି ବଢାଇ ଚାଲିଥିଲେ । ତେବେ ଫିଞ୍ଚଙ୍କ ୱିକେଟ ଯିବା ପରେ ମ୍ୟାକ୍ସୱେଲ ଧୂଆଁଧାର ବ୍ୟାଟିଂ କରିଥିଲେ ମଧ୍ୟ ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା । ଫଳରେ କ୍ଲିନ ସୁଇପ ଲକ୍ଷ୍ୟରେ ଥିବା କଙ୍ଗାରୁ ଟିମ୍ ସ୍ୱପ୍ନ ଭାଙ୍ଗିଯାଇଥିଲା । ଭାରତ ପକ୍ଷରୁ ସାର୍ଦ୍ଦୁଳ ୩ଟି ୱିକେଟ ନେଇଥିବା ବେଳେ ବୁମରାହା ଓ ନଟରାଜନ ୨ଟି ୱିକେଟ ଅକ୍ତିଆର କରିଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ କୋହଲି, ଜାଡେଜା, ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିଲେ ।