କରୋନା ସଂକ୍ରମଣ ବୃଦ୍ଧି ଭିତରେ ବଡ଼ ଖବର । ରେମଡେସିଭିର ରପ୍ତାନୀ ନିଷିଦ୍ଧ କଲା ଭାରତ, ଜାଣନ୍ତୁ ଏହାପଛର କାରଣ

112

କନକ ବ୍ୟୁରୋ : ଦେଶରେ ସଂକ୍ରମଣର ଅହେତୁକ ବୃଦ୍ଧି ପରିପ୍ରେକ୍ଷୀରେ ସରକାର ଭୂତାଣୁ ବିରୋଧୀ ଔଷଧ ରେମ୍‌ଡେସିଭିର ରପ୍ତାନିକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଦେଶରେ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ନହେଲା ଯାଏ ରେମଡେସିଭିର ଇଞ୍ଜେକ୍ସନ ଓ ଅନ୍ୟାନ୍ୟ ତତ୍‌ସଂଲଗ୍ନ ଉପାଦାନର ରପ୍ତାନିକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଅପରପକ୍ଷେ, ଏହାକୁ ଏକ ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ବିଶେଷଜ୍ଞମାମନେ ପରାମର୍ଶ କରିଛନ୍ତି ।

ରେମଡେସିଭିର ଯଦିଓ କୋଭିଡ‌ରୁ ଆରୋଗ୍ୟଲାଭ ପାଇଁ ସମ୍ପୂର୍ଣ୍ଣ ଫଳପ୍ରଦ ନୁହେଁ, ତେବେ ଗୁରୁତର କୋଭିଡ୍‌ ପୀଡ଼ିତଙ୍କ ଠାରେ ଏହାର ପ୍ରୟୋଗ ଡାକ୍ତରଖାନା ରହଣିକୁ କମାଇ ଦେଇଥାଏ। କୋଭିଡ୍‌ ଲକ୍ଷଣ ଦେଖାଦେବାର ୯ ଦିନ ଭିତରେ ଏହି ଭୂତାଣୁ ବିରୋଧୀ ଔଷଧକୁ ବ୍ୟବହାର କଲେ କିଛିମାତ୍ରାରେ ଉପଶମ ମିଳିଥାଏ।

ଅପରପକ୍ଷେ, ଦେଶରେ ସମ୍ପ୍ରତି ଦିନକୁ ଦିନ କୋଭିଡ୍‌ ପୀଡ଼ିତଙ୍କ ସଂଖ୍ୟା ସହ ଚିକିତ୍ସାଧୀନଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ତେଣୁ ସେଥିପାଇଁ ରେମଡେସିଭିରର ଚାହିଦା ରହିବା ସହ ଆଗକୁ ମଧ୍ୟ ଲୋକେ ଏହି ଔଷଧ ଅଧିକ ଲୋଡ଼ିପାରନ୍ତି । ଏହି ଔଷଧ କୋଭିଡ୍‌ ମୃତ୍ୟୁହାର କମାଇପାରିବ ବୋଲି କୌଣସି ପ୍ରମାଣ ନାହିଁ । ତେଣୁ ଆଗକୁ ଦେଶରେ ଏହାର ଅଭାବ ପରିଲକ୍ଷିତ ନହେବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି ।