କନକବ୍ୟୁରୋ: ୭ ମାସ ତଳେ କୋଟି କୋଟି ଭାରତୀୟଙ୍କ ଆଖିରେ ଲୁହ ଭରିଥିଲା ଅଷ୍ଟ୍ରେଲିଆ । ଧୂଳିସାତ ହୋଇଥିଲା ଟିମ୍ ଇଣ୍ଡିଆର ବିଶ୍ୱବିଜେତା ବନିବା ସ୍ୱପ୍ନ । ଏବେ ଭାରତ ପାଖରେ ପ୍ରତିଶୋଧର ସୁଯୋଗ । ଟି-୨୦ ବିଶ୍ୱକପର ସୁପର-୮ରେ ଆଜି ସବୁଠୁ ବଡ଼ ଲଢେଇ । ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ । ଆଫଗାନିସ୍ତାନଠାରୁ ପରାସ୍ତ ହେବା ପରେ କଙ୍ଗାରୁ ଦଳ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି । ସେମିଫାଇନାଲ୍ ରେସରେ ଏବେ ସୂତାଖିଅରେ ଲଟକିଛି ଅଷ୍ଟ୍ରେଲିଆ ।

Advertisment

ଆଜି ହାରିଲେ, ସଙ୍କଟରେ ଥିବା ଅଷ୍ଟ୍ରେଲିଆ ପାଇଁ ଆହୁରି ଅଡୁଆ ହେବ ସେମିଫାଇନାଲ ରାସ୍ତା । ନେଟ୍ ରନରେଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଅନ୍ୟପଟେ ଗଡିଚାଲିଛି ଟିମ୍ ଇଣ୍ଡିଆର ବିଜୟ ରଥ । ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେବା ସହ ଆଜିର ମ୍ୟାଚ ଜିତି ଅପରାଜେୟ ସହ ଗ୍ରୁପ ଟପ୍ପର ହୋଇ ସେମିରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ରେକର୍ଡ ଏବଂ ବର୍ତମାନର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି । ଟି-୨୦ ବିଶ୍ୱକପରେ ଭାରତ ଓ ଅଷ୍ଟ୍ରେଲିଆ ୫ ଥର ପରସ୍ପରକୁ ଭେଟିଥିବାବେଳେ ଭାରତ ୩ଟିରେ ବିଜୟୀ ହୋଇଛି ।

ତେବେ ଆଜି ମ୍ୟାଚରେ ବର୍ଷାର ଆଶଙ୍କା ଥିବାରୁ ଅଷ୍ଟ୍ରେଲିଆର ଚିନ୍ତା ବଢିଯାଇଛି । ଯଦି ବର୍ଷା ପାଇଁ ମ୍ୟାଚ୍ ବାତିଲ ହୁଏ, ଭାରତର ଅସୁବିଧା ନାହିଁ, ଅଷ୍ଟ୍ରେଲିଆ ପାଇଁ କିନ୍ତୁ ଅଡୁଆ ବଢିଯିବ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁଇ ଦଶ ଶକ୍ତିଶାଳୀ ଥିବାରୁ ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ ଦେଖିବାକୁ ମିଳିନପାରେ । ଗ୍ରୁପ-୨ରୁ ଦକ୍ଷିଣଆଫ୍ରିକା ଓ ଇଂଲଣ୍ଡ ସେମିଫାଇନାଲ୍ ଟିକେଟ୍ ପାଇସାରିଥିବାବେଳେ ଜଟିଳ ହୋଇଛି ଗ୍ରୁପ୍-୧ର ଅଙ୍କ ।