ପାକିସ୍ତାନ ଉପରେ ହମଲାର ପୁଣି ଏକ ପ୍ରମାଣ ! ସେନା ପକ୍ଷରୁ ଜାରି ହେଲା ପାକ୍ ଉପରେ ହୋଇଥିବା ଆକ୍ରମଣର ଭିଡିଓ । 

180

କନକ ବ୍ୟୁରୋ : ପାକିସ୍ତାନ ଅସ୍ତ୍ରବିରତି ଉଲଂଘନର ଜବାବ୍ ଦେଲା ଭାରତ । ଭାରତୀୟ ସେନାର ମୋର୍ଟାର ମାଡ଼ରେ ପାକ୍ ସେନାର ପ୍ରଶାସିନକ ମୁଖ୍ୟାଳୟ ଧ୍ୱଂସ ହୋଇଛି । ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ଆତଙ୍କବାଦୀ ଠିକଣା ଉପରେ ମୋର୍ଟାର ମାଡ କରିଛି ଭାରତୀୟ ସେନା  । ଏନେଇ ଭାରତୀୟ ସେନା ପକ୍ଷରୁ ଏକ ନୂଆ ଭିଡ଼ିଓ ଜାରି କରା ଯାଇଛି  । ଯେଉଁଥିରେ ରହିଛି ପାକିସ୍ତାନ ଉପରେ ହମଲାର ସମସ୍ତ ପ୍ରକାର ପ୍ରମାଣ  ।

ପାକ୍ ଉପରେ ହମଲାର ପୁଣି ଏକ ପ୍ରମାଣ । ଆକ୍ରମଣର ଜାରି ହେଲା ନୂଆ ଭିଡ଼ିଓ । ଯେଉଁଥିରେ ଭାରତୀୟ ଯବାନ ବେଶ ସାହସର ସହ ଆତଙ୍କବାଦୀଙ୍କ ଠିକଣାକୁ ଗୋଟି ଗୋଟି କରି ଧ୍ୱସ୍ତବିଧ୍ୱସ୍ତ କରୁଛନ୍ତି । ଆଉ ଶତ୍ରୁ ମାଟିରେ ଶତ୍ରୁଙ୍କୁ ହିଁ କରୁଛନ୍ତି ନିପାତ୍  । ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରି ଆସୁଥିବା ପାକିସ୍ତାନକୁ ଶିକ୍ଷା ଦେବା ସହ ଭାରତୀୟ ଯବାନଙ୍କ ମୃତ୍ୟୁର ବଦଲା ନେବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସେନା  । ଆଉ ଏହାର ଭିଡ଼ିଓ ଜାରି କରିଛି ସେନା, ଯେଉଁଥିରେ ରହିଛି ପାକ୍ ଉପରେ ହମଲାର ଦୃଶ୍ୟ  । ସେପଟେ କାଶ୍ମୀର ନେଇ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ୍ କରିବା ପରେ ସରଗରମ ହୋଇଛି ରାଜନୀତି  ।

୨୩ ଅକ୍ଟୋବର୍ ୨୦୧୮ । ଜାମ୍ମୁ କାଶ୍ମୀର ପୁଂଛ୍ ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ୍ ଦେଉଥିଲେ ପାକିସ୍ତାନକୁ ମୁହଁତୋଡ଼ ଜବାବ୍  । ଆଉ ପାକ୍ ରେଂଜର୍ସର ପ୍ରଶାସନିକ ମୁଖ୍ୟାଳୟ କିଛି ସମୟ ମଧ୍ୟରେ ଧୁଳିସାତ୍ ହୋଇଥିଲା ସେନାର ଜବାବୀ ହମଲାରେ  । ପାକିସ୍ତାନକୁ ତାରି ଭାଷାରେ ଜବାବ୍ ଦେବାକୁ ଭାରତୀୟ ଯବାନ୍ ଗୋଟି ଗୋଟି କରି ଟାର୍ଗେଟ୍ କରିଥିଲେ ପାକିସ୍ତାନ ସେନା ଶିବିରକୁ  । କିଛି ସମୟ ମଧ୍ୟରେ ପାକିସ୍ତାନ ସେନାର ପ୍ରଶାସନିକ ମୁଖ୍ୟାଳୟ ସମେତ ଅନ୍ୟ ଆତଙ୍କୀ ଠିକଣା ମାଟିରେ ମିଶିଯାଇଥିଲା ଓ ସେନା ହୋଇଥିଲା ସଫଳ  । ପାକିସ୍ତାନକୁ ଗୁଳିର ଜବାବ୍ ଗୁଳିରେ ଦେଇଛି ଭାରତ  । ଆଜି ଏହାର ଭିଡିଓ ରିଲିଜ୍ ହେବା ପରେ ପୁଣି ଥରେ ସେହି ଭାରତୀୟ ବୀର ଯବାନଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ସଲାମ୍ କରିଛି ସାରା ଦେଶ  ।