ପାରା ଅଲିମ୍ପିକ୍ସରେ ଭାରତର ବଡ଼ ସଫଳତା : ଗୋଟିଏ ଦିନ ୩ ପଦକ ହାସଲ

ଟେବୁଲ ଟେନିସରେ ଭାବିନା ପଟେଲ, ହାଇଜମ୍ପରେ ନିଶାଦ କୁମାର ଜିତିଲେ ରୌପ୍ୟ;ଡିସକସ୍ ଥ୍ରୋରେ ବିନୋଦ କୁମାରଙ୍କୁ ମିଳିଲା ବ୍ରୋଂଜ

109

କନକ ବ୍ୟୁରୋ : ପାରାଅଲିମ୍ପିକ୍ସରେ ଭାରତକୁ ମିଳିଛି ବଡ ସଫଳତା । ଗତକାଲି ଗୋଟିଏ ଦିନରେ ଭାରତକୁ ୩ଟି ପଦକ ମିଳିଛି । ଦୁଇଟି ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ଭାରତ ଖାତାରେ ସାମିଲ ହୋଇଛି । ଟେବୁଲ ଟେନିସରେ ଏକମାତ୍ର ଭାରତୀୟ ମହିଳା ଭାବେ ଫାଇନାଲକୁ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ଆଶା ସଂଚାର କରିଥିଲେ ଭାବିନା ପଟେଲ । ପ୍ରଥମ ଥର ପାରା ଅଲିମ୍ପିକ୍ସରେ ଭାଗ ନେଇ ଫାଇନାଲ ମୁକାବିଲାରେ ଚୀନ ପ୍ରତିଯୋଗୀଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ଭାରତ ପକ୍ଷରୁ ପାରା ଅଲିମ୍ପିକ୍ସ ଟେବୁଲ ଟେନିସରେ ପଦକ ଜିତିବାରେ ଭାବିନା ହେଉଛନ୍ତି ପ୍ରଥମ ଭାରତୀୟ । ସେହିପରି ପୁରୁଷ ବିଭାଗ ହାଇ ଜମ୍ପରେ ଭାରତର ନିଶାଦ କୁମାର ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ୨୧ ବର୍ଷ ବୟସ୍କ ନିଶାଦ ୨.୦୬ ମିଟର ହାଇ ଜମ୍ପ କରି ରେକର୍ଡ କରିଛନ୍ତି । ଆମେରିକାର ଡଲାସ ୱାଇଜ ମଧ୍ୟ ୨.୦୬ ମିଟର ହାଇ ଜମ୍ପ କରି ନିଶାଦଙ୍କ ସହ ଯୁଗ୍ମ ଭାବେ ରୌପ୍ୟ ପଦକ ପାଇଛନ୍ତି । ସେହିପରି ଡିସ୍କସ ଥ୍ରୋରେ ବିନୋଦ କୁମାର ଭାରତକୁ ତୃତୀୟ ପଦକ ଦେଇଛନ୍ତି । ୪୧ ବର୍ଷ ବୟସ୍କ ବିଏସଏଫ ଯବାନ ବିନୋଦ କୁମାର ୧୯ ଦଶମିକ ୯୧ ମିଟିର ଡିସ୍କସ ଥ୍ରୋ କରି କାଂସ୍ୟ ପଦକ ବିଜେତା ହୋଇଛନ୍ତି ।