ନୂଆବର୍ଷରେ ଦେଶ ପାଇଁ ନୂଆ ଆଶା । ଆଜିଠାରୁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବ ଭାରତ

257

କନକ ବ୍ୟୁରୋ : ଜାତିସଂଘରେ ଭାରତର ପ୍ରତିନିଧିତ୍ୱକୁ ନେଇ ନୂଆ ବର୍ଷରେ ନୂଆ ଆଶା ସଂଚାର ହୋଇଛି । ଆଜିଠାରୁ ଭାରତ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟ ଭାବେ ଯୋଗ ଦେବ । ଏନେଇ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି ଭାରତର ସ୍ଥାୟୀ ପ୍ରତିନିଧି ଭାବେ କହିଛନ୍ତି କି ବହୁପକ୍ଷବାଦ ଉପରେ ମଧ୍ୟ ଭାରତ ଗୁରୁତ୍ୱ ଦେବ । ସେପଟେ ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଭାରତ ତରଫରୁ କୁହାଯାଇଛି କି ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ ।
ସୂଚନା ଥାଉକି, ଜାନୁଆରୀ ପହିଲାରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବାକୁ ଯାଉଛି । ୟୁଏନଏସସିରେ ୧୦ ଅସ୍ଥାୟୀ ସଦସ୍ୟ ଥିବା ବେଳେ ୫ ସ୍ଥାୟୀ ସଦସ୍ୟ ରହିଛନ୍ତି । ଅସ୍ଥାୟୀ ସଦସ୍ୟ ଭାବେ ଅଷ୍ଟମ ଥର ପାଇଁ ୟୁଏନଏସସି ରେ ଭାରତ ସ୍ଥାନ ପାଇଛି ।
ତିରୁମୂର୍ତ୍ତି କହିଛନ୍ତି କି, ଆମେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଥିବାରୁ ଗଣତନ୍ତ୍ର, ମାନବିକ ଅଧିକାର ଓ ବିକାଶ ଭଳି ମୂଳ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବୁ । ଏହାସହ ସମନ୍ୱିତ କାର୍ଯ୍ୟ ଢାଞ୍ଚାରେ ବିବିଧତାକୁ କିଭଳି ପ୍ରୋତ୍ସାହିତ କରିହେବ ତାହା ଭାରତର ବାର୍ତ୍ତା ହେବ । ଯାହାକି ମିଳିତ ଜାତିସଂଘରେ ଅନେକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଏହାସହ ତିରୁମୂର୍ତ୍ତି କହିଛନ୍ତି କି ଭାରତ ନିଶ୍ଚିତ ଭାବେ ସୁରକ୍ଷା ପରିଷଦରେ ଅଧିକ ସହଯୋଗର ଆବଶ୍ୟକତା କରିବ ଓ ଏହା ଏପରି ଏକ ସ୍ଥାନ ହେବା ଉଚିତ ନୁହେଁ ଯେଉଁଠାରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କୌଣସି ଅବରୋଧ ବିନା ଜରୁରୀ ଆବଶ୍ୟକତାର ସଠିକ୍ ଭାବେ ସମାଧାନ ହୋଇପାରିବ ନାହିଁ ।
ୟୁଏନଏସସି ରେ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ବ୍ୟତିତ କେନିଆ, ଆୟର୍ଲାଣ୍ଡ, ନରୱେ ଓ ମେକ୍ସିକୋ ଆଜିଠାରୁ ଯୋଗ ଦେଉଛନ୍ତି । ଏହା ପୂର୍ବରୁ ସେଣ୍ଟ, ଭିନ୍ସେଣ୍ଟ, ଗ୍ରେନାଡାଇନ୍ସ, ଇଷ୍ଟୋନିଆ, ଭିଏତନାମ ଓ ଟ୍ୟୁନିସିଆ ଭଳି ରାଷ୍ଟ୍ରମାନେ ୟୁଏନଏସସି ରେ ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।