ଶେଷ ଦିନିକିଆରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ : କାନ୍‌ବେରାରେ ରନ୍‌ ବର୍ଷିବା ଆଶାରେ ଫ୍ୟାନ୍

89

କନକ ବ୍ୟୁରୋ : ସିଡ୍‌ନିରେ ଯୁଗଳ ପରାଜୟ ବରଣ କରିଥିବା ଭାରତୀୟ ଦଳ ବୁଧବାର କାନବେରାରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ ଖେଳୁଛି । ଆଜି ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ଶୁବମନ୍ ଗିଲ୍ ଓ ଶିଖର ଧାୱନ୍ ଇନିଂସ ଆରମ୍ଭ କରିଛନ୍ତି। ଦଳରେ ଆଜି ଭାରତ ତିନିଟି ପରିବର୍ତ୍ତନ କରିଛି। ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁବମନ୍ ଗିଲ୍, ନବଦୀପ ସୈନିଙ୍କ ବଦଳରେ ସାର୍ଦୁଲ୍ ଠାକୁର ଏବଂ ମହମ୍ମଦ ସାମିଙ୍କ ସ୍ଥାନରେ କେ.ନଟରାଜନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି।

ଭାରତ ପାଇଁ ଏହି ମ୍ୟାଚ୍‌ ସମ୍ମାନର ପ୍ରଶ୍ନ । ୦-୩ ମୂଳ‌ପୋଛ ଶୃଙ୍ଖଳା ପରାଜୟରୁ ବର୍ତିବାକୁ‌ ଚେଷ୍ଟା କରିବ ବିରାଟ ବାହିନୀ। ତେବେ ଶୃଙ୍ଖଳା ଫଳାଫଳ ଧାର୍ଯ୍ୟ ହୋଇ ସାରିଥିବାରୁ ଉଭୟ ଦଳ ଏହି ମ୍ୟାଚ୍‌ରେ ସେମାନଙ୍କ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ତଥା ସଂରକ୍ଷିତ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି। କାନବେରାରେ ବଡ଼ ସ୍କୋର୍‌ ହେବାର ପରମ୍ପରା ଥିବାରୁ ଆଜି ମଧ୍ୟ ପ୍ରଶଂସକମାନେ ଏକ ହାଇ ସ୍କୋରିଂ ମୁକାବିଲା ଦେଖିବାକୁ ପାଇବେ ବୋଲି ଆଶା ରଖିଛନ୍ତି। ସିଡନିରେ ଅଷ୍ଟ୍ରେଲିଆ ଦୁଇଟି ବଡ଼ ସ୍କୋର୍‌ କରି ସାରିଥିବାରୁ କାନବେରାରେ ମଧ୍ୟ ରନ୍‌ ବର୍ଷିବ ବୋଲି ବିଶ୍ବାସ ରହିଛି।

ଭାରତ ପାଇଁ ଦଳୀୟ ସନ୍ତୁଳନ ଏବଂ ବୋଲିଂର ଗଭୀରତାକୁ ନେଇ ଚିନ୍ତା ଜାରି ରହିଛି। ଏହି ଚାପ ଜାରି ରହିଥିଲେ ମଧ୍ୟ ଡେଭିଡ୍‌ ୱାର୍ନର ଓ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଭାରତ ସମତୁଲ ଲଢ଼େଇ କରିବ ବୋଲି ଆଶା କରାଯାଉଛି। ଟେଷ୍ଟ୍ ଶୃଙ୍ଖଳାକୁ ନଜରରେ ରଖି ଭାରତ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇଛି। କିନ୍ତୁ ଲଗାତାର ୫ ଦିନିକିଆ ହାରିଥିବାରୁ ଭାରତ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ। ‌ଶେଷ ଥର ପାଇଁ ୨୦୧୬ରେ ଭାରତ ଲଗାତାର ୫ ଦିନିକିଆରେ ହାରିଥିଲା। ୪ ବର୍ଷ ତଳେ ବୁମରାଙ୍କ ପଦାର୍ପଣ ସହିତ ଭାରତ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇବାରେ ସକ୍ଷମ ହୋଇଥିଲା।

ଭାରତ : ଶିଖର ଧାୱନ, ଶୁଭମନ ଗିଲ୍‌, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର,,କେଏଲ୍ ରାହୁଲ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ସାର୍ଦୁଲ ଠାକୁର, ଯଶପ୍ରୀତ୍ ବୁମରା, ଟି ନଟରାଜନ, କୁଲଦୀପ ଯାଦବ।

ଅଷ୍ଟ୍ରେଲିଆ : ଆରୋନ୍‌ ଫିଞ୍ଚ୍ (ଅଧିନାୟକ), ମାଥ୍ୟୁ ୱାଦେ, ଷ୍ଟିଭେନ୍ ସ୍ମିଥ୍‌, ମାର୍ନସ ଲବୁସାନ୍‌, ମୋଜେସ୍‌ ହେନରିକ୍ସ, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ୍‌, ସିନ୍ ଆବୋଟ୍, ମିଚେଲ୍ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍‌।