ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ନମ୍ବର ୱାନ୍ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ତାଲିକାରେ ଭାରତକୁ ବଡ ଫାଇଦା ।

430

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୩୭୨ ରନରେ ବିଜୟ ସହ ସର୍ବାଧିକ ରନ୍ ବ୍ୟବଧାନରେ ବିଜୟୀ ହୋଇ ନୂଆ ରେକର୍ଡ କରିଛି ବିରାଟ ବାହିନୀ । ଆଉ ଏହି ବିଜୟ ଭାରତ ପାଇଁ ଡବଲ ଖୁସି ଆଣି ଦେଇଛି । ଏବେ ଟେଷ୍ଟ ରାକିଂରେ ନମ୍ବର ୱାନ ସ୍ଥାନ ହାସଲ କରିଛି ଭାରତୀୟ ଟିମ୍ । ଏହାବାଦ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ତାଲିକାରେ ମଧ୍ୟ ୩ ନମ୍ବର ସ୍ଥାନ ହାସଲ କରିଛି । ଆଉ ସବୁଠୁ ବଡ କଥା ହେଲା ଆଇସିସି ଟେଷ୍ଟ ରାକିଂରେ ନ୍ୟୁଜିଲାଣ୍ଡକୁ ହଟାଇ ନମ୍ବର ୱାନ ସ୍ଥାନ ଦଖଲ କରିଛି ଟିମ୍ ଇଣ୍ଡିଆ । ଏବେ ଭାରତର ୧୨୪ ପଏଣ୍ଟ ଥିବା ବେଳେ ନ୍ୟୁଜିଲାଣ୍ଡର ୧୨୧ ପଏଣ୍ଟ ରହିଛି ।

ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହ ଦୀର୍ଘ ୬ ମାସ ପରେ ପୁଣିଥରେ ନମ୍ବର ୱାନ ସ୍ଥାନ ଦଖଲ କରିଛି ଭାରତ । ଜୁନ୍ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପରାଜିତ ହେବା ସହ ନମ୍ବର ୱାନ ଟେଷ୍ଟ ଦଳର ଆସନ ହରାଇଥିଲା ଭାରତ । କିନ୍ତୁ ଏବେ କିୱି ଦଳକୁ ମାତ୍ ଦେଇ ପୁଣିଥରେ ସେହି ସ୍ଥାନ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଲଗାତାର ଏକ ନମ୍ବର ସ୍ଥାନରେ ରହିସାରିଛି ଟିମ୍ ଇଣ୍ଡିଆ । ତେବେ ଏହାପରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କିଛି ସମୟ ଧରି ଏହି ସ୍ଥାନ ଦଖଲ କରିଥିଲେ । ତେବେ ଏହି ସ୍ଥାନ ଦୀର୍ଘ ସମୟ ଧରି ଦଖଲ କରିବା ରଖିବା ରାହୁଲ-ବିରାଟ ଯୋଡିଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ । କାରଣ ଆଗକୁ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ ।

ସେହିଭଳି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ତାଲିକାର ୩ୟ ସ୍ଥାନର ରହିଛି ଭାରତ । ଶ୍ରୀଲଙ୍କା ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ ପାକିସ୍ତାନ ଏହି ତାଲିକାର ୨ୟ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆର ପଏଣ୍ଟ ଅଧିକ ରହିଥିଲେ ମଧ୍ୟ ବିଜୟୀ ପ୍ରତିଶତ କାରଣରୁ ୩ ନମ୍ବର ସ୍ଥାନରେ ରହିଛି ଦଳ । କାରଣ ଦଳ ଏଯାବତ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ଏପରିକି ୨ଟି ମ୍ୟାଚ୍ ଡ୍ର ରଖିଛି ।