ବିଦେଶ ଗସ୍ତରେ ପ୍ରତାପ ନନା ! ବିଭିନ୍ନ କ୍ଷେତ୍ରରେ ଗିନି ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କଲେ ପ୍ରତାପ ଷଡଙ୍ଗୀ, କୁମ୍ଭୀରଙ୍କ ମେଳରେ ଦେଲେ ଫଟୋ ପୋଜ୍ ।

282

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ଗିନି ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସୌର ଶକ୍ତି, ହୋମିଓପାଥି, ପାରମ୍ପରିକ ଔଷଧ, ଇ-ବିଦ୍ୟାଭାରତୀ, ଇ-ଆରୋଗ୍ୟ ଭାରତୀ ନେଟୱାର୍କ ପ୍ରୋଜେକ୍ଟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସେହିପରି ଗିନିର ରାଜଧାନୀ କୋନାକ୍ରିରେ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୭୦ ମିଲିୟନ ଡଲାର ଆର୍ଥିକ ସହାୟତା ଦେବାକୁ ଚୁକ୍ତି କରିଛି ଭାରତ । ପ୍ରତାପ ଷଡ଼ଙ୍ଗୀ ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହ ଆଫ୍ରିକା ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ୨୦୨୧ରୁ ୨୦୨୨ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ଗିନି ।

ସେପଟେ କୁମ୍ଭୀର ସହ ଫଟୋ ପୋଜ୍ ଦେଇଛନ୍ତି ଆଫ୍ରିକା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କୁମ୍ଭୀର ସହ କେନ୍ଦ୍ରମନ୍ତ୍ରୀଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଗାମ୍ବିଆର ବଂଜୁଲରେ ଥିବା କଛିତଲି କ୍ରୋକୋଡାଇଲ ପୁଲରେ ପୋଷା କୁମ୍ଭୀର ସହ ଏହି ଫଟୋ ପୋଜ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । କେଉଁ ଫଟୋରେ କୁମ୍ଭୀର ପିଠିକୁ ସେ ଆଉଁସି ଦେଉଥିବା ଦେଖିବାକୁ ମିଳିଛି ତ ଆଉ କେଉଁ ଫଟୋରେ ମାଳ ମାଳ କୁମ୍ଭୀର ନିକଟରେ ବସିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।