ଆହୁରି ଶକ୍ତିଶାଳୀ ହେବ ଭାରତ । ଜର୍ମାନ ସହ ହେଲା ୨୦ଟି ଚୁକ୍ତି ସ୍ୱାକ୍ଷରିତ, ୨୦୨୨ ସୁଦ୍ଧା ନୂଆ ଭାରତ ଏବଂ ଆତଙ୍କୀଙ୍କ ବିରୋଧରେ ଲଢ଼େଇ ପାଇଁ ସଂକଳ୍ପ ନେଲେ ଦୁଇ ରାଷ୍ଟ୍ର

1,026

କନକ ବ୍ୟୁରୋ: ଭାରତ-ଜର୍ମାନୀ ମଧ୍ୟରେ ୨୦ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ୍ ଚାନ୍ସେଲେର ଆଞ୍ଜେଲା ମର୍କେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ଅବସରରେ ଦୁଇଦେଶ ମଧ୍ୟରେ କୃଷି, ଗ୍ରୀନ୍ ସିଟି ପରିବହନ ଏବଂ କୃତ୍ରିମ ବୌଦ୍ଧିକତା ସମେତ ୨୦ଟି ରାଜିନାମା ସ୍ବାକ୍ଷର ହୋଇଛି ।

ସବୁଠାରୁ ବଡ଼ ବୁଝାମଣା ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ପାଇଁ ଦୁଇନେତା ସଂକଳ୍ପ ନେଇଛନ୍ତି । ସହଯୋଗକୁ ଅଧିକ ମଜଭୁତ କରିବା ଉପରେ ମିଳିତ ବିବୃତିରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ । ଏହି ଚୁକ୍ତିନାମା ଅବସରରେ ଉଦବୋଧନ ଦେଇ ମୋଦି କହିଥିଲେ, ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ସହଯୋଗ ଏବଂ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସହାୟତା ବଢ଼ାଇବା ପାଇଁ ଭାରତ ଓ ଜର୍ମାନୀ ସଂକଳ୍ପ ନେଇଛନ୍ତି ।

କେବଳ ଏତିକି ନୁହେଁ ଏହା ବ୍ୟତୀତ ନୂତନ ତଥା ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି ଉଭୟ ରାଷ୍ଟ୍ର । ଏଥିସହ ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲାବେଳେ ଜର୍ମାନୀ ଭଳି ବୈଷୟିକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଏ ଦିଗରେ ସହାୟକ ହୋଇପାରିବ ବୋଲି ମୋଦି କହିଛନ୍ତି । ସେହିଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ-ଜର୍ମାନୀ ଭାଗୀଦାରିତାକୁ ଉଭୟ ନେତା ସ୍ବାଗତ କରିଥିଲେ । ଆମ ସହଯୋଗର ଏହା ଏକ ବଡ଼ ଅଂଶ ବୋଲି ମର୍କେଲ କହିଥିଲେ । ଭାରତ ଓ ଜର୍ମାନୀ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା ମର୍କେଲ କହିଛନ୍ତି ।