ଘୋଷଣା ହେଲା ତାରିଖ : ଆସନ୍ତାବର୍ଷ ଖେଳାଯିବ ବାତିଲ ହୋଇଥିବା ପଞ୍ଚମ ଟେଷ୍ଟ, ଜାଣନ୍ତୁ କେବେ?

271

କନକ ବ୍ୟୁରୋ : କରୋନା ସଂକ୍ରମଣ କାରଣରୁ ଭାରତ-ଇଂଲଣ୍ଡ ମଧ୍ୟରେ ବାତିଲ ହୋଇଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ପୁଣିଥରେ ଖେଳାଯିବ । ଆସନ୍ତା ବର୍ଷ ଜୁଲାଇ ମାସରେ ଏହି ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଟ୍ୱିଟ୍ କରି ସ୍ପଷ୍ଟ କରିଛି ।

ଟିମ୍ ଇଣ୍ଡିଆ ଏହି ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଏଭଳିସ୍ଥିତିରେ ଆସନ୍ତା ବର୍ଷ ଜୁଲାଇ ମାସରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଜୁଲାଇ ୧ରୁ ୫ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଆଉ ଏହି ମ୍ୟାଚ୍ ସିରିଜର ଫାଇନାଲ ମୁକାବିଲା ହେବ ।

ଏହାପୂର୍ବରୁ ଗତ ସେପ୍ଟେମ୍ବରରେ ସିରିଜର ଶେଷ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିଲା । କିନ୍ତୁ ଟିମ୍ ଇଣ୍ଡିଆ ଶିବିରରେ କିଛି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଭାରତ ଏହି ମ୍ୟାଚ୍ ଖେଳିବାକୁ ମନା କରିଥିଲା । କାରଣ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଅନ୍ୟ କିଛି ସହଯୋଗୀ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ  । ଯେଉଁଥିପାଇଁ ଶେଷ ମ୍ୟାଚ୍ ଖେଳିବାକୁ ମନା କରିଥିଲା ଟିମ୍ ଇଣ୍ଡିଆ । ସେତେବେଳେ ଏହି ମ୍ୟାଚ୍ ବାତିଲ ହେବାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । କିନ୍ତୁ ଉଭୟ ବୋର୍ଡର ଆଲୋଚନା ପରେ ଏବେ ଏହି ମ୍ୟାଚ ଖେଳାଯିବାକୁ ତାରିଖ ସ୍ଥିର ହୋଇଛି ।

ଭାରତ ଇଂଲଣ୍ଡ ଗସ୍ତରେ ଜୁଲାଇ ୧ରୁ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବା ବେଳେ ୩ଟି ଦିନିକିଆ ଓ ୩ଟି ଟି-୨୦ ମୁକାବିଲା ଖେଳିବ । ୭ ଜୁଲାଇରୁ ଭାରତ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ, ସେହିଭଳି ୧୨ ଜୁଲାଇରୁ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବ ।