କନକ ବ୍ୟୁରୋ: ଭାରତ ଚୀନ୍ ମଧ୍ୟରେ ପୁଣି ଥରେ ଜେନେରାଲ ସ୍ତରୀୟ ଆଲୋଚନା ହୋଇଛି । ପରିସ୍ଥିତି ସ୍ୱାଭାବିକ କରିବାକୁ ହେଲେ ଚୀନ୍କୁ ପଛକୁ ହଟିବାକୁ ହେବ ବୋଲି ପୁଣି ଥରେ ଦୋହରାଇଛି ଭାରତ । ମୁଖ୍ୟତଃ ଗଲୱାନ କ୍ଷେତ୍ରରେ ଓ ଡେପସାଙ୍ଗ ଅଂଚଳରୁ ସେନା ପ୍ରତ୍ୟାହାର କରିବା ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି ।
ଦେପସାଙ୍ଗ ସମତଳ ଅଞ୍ଚଳରୁ ସୈନ୍ୟ ଅପସାରଣ ନିମନ୍ତେ ଶନିବାର ଦିନ ଲଦାଖର ଦୌଲତ ବେଗ ଓଲ୍ଡିରେ ଭାରତ ଓ ଚୀନ୍ ମେଜର୍ ଜେନେରାଲ୍ସ୍ତରୀୟ ଆଲୋଚନା କରିଛନ୍ତି। ଡେପସାଙ୍ଗରେ ସମ୍ପ୍ରତି ଉଭୟ ପକ୍ଷର ସୈନ୍ୟ ଚଳାଚଳ ସକ୍ରିୟ ହୋଇଉଠିଛି। ଡେପସାଙ୍ଗବିପରୀତ ପାର୍ଶ୍ବରେ ୧୫, ୦୦୦ରୁ ଅଧିକ ଚୀନ୍ ସୈନିକ ଅଛନ୍ତି। ଏହାଛଡ଼ା, ଚୀନ୍ ସେଠାରେ କମାଣ ଓ ତୋପ ଆଦି ଅସ୍ତ୍ର ଠୁଳ କରିଛି। ଚୀନ୍ ପକ୍ଷର ସେନା ଅପସାରଣ ନିମନ୍ତେ ଉଦ୍ଦିଷ୍ଟ ଏହି ଆଲୋଚନା ଆଜି ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହୋଇଛି। ସୈନ୍ୟ ଅପସାରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ଦୁଇ ଆଣିବିକ ଶସ୍ତ୍ର ଅଧିକାରୀ ଦେଶ ମଧ୍ୟରେ ଏହା ହେଉଛି ଷଷ୍ଠ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନା। ଭାରତୀୟ ଅଞ୍ଚଳରେ ପାଟ୍ରୋଲିଙ୍ଗ୍ ବାଧା ପାଇଥିବା ପ୍ରସଙ୍ଗ ମଧ୍ୟ ଏଥିରେ ଉଠାଯିବାର ସମ୍ଭାବନା ରହିଛି। ଏହି ଆଲୋଚନାରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇଛନ୍ତି ୩ ମାଉଣ୍ଟେନ୍ ଡିଭିଜନ୍ର ଜେନେରାଲ୍ କମାଣ୍ଡିଙ୍ଗ୍ ଅଫିସର୍ ମେଜର ଜେନେରାଲ୍ ଅଭିଜିତ ବାପତ।
ଶେଷଥର ଲାଗି ଗତ ଅଗଷ୍ଟ ୨ ତାରିଖରେ ଦୁଇ ଦେଶ ମଧ୍ୟରେ କମାଣ୍ଡର୍ସ୍ତରୀୟ ଆଲୋଚନା ହୋଇଥିଲା। ଅଗଷ୍ଟ ୭ ତାରିଖ ଦିନ ଭାଇସ୍ ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍ ଏୟାର୍ ମାର୍ସାଲ୍ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଏକାଧିକ ବିମାନଘାଟି ପରିଦର୍ଶନ କରିବା ସହ ସେ ଅଞ୍ଚଳରେ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ବାୟୁସେନାର ଆଭିଯାନିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।