ହ୍ୱାଟସଆପରେ ହୋଇଥିବା ଶୁଣାଣିକୁ ତୀବ୍ର ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ : ବିଚାର ବିଭାଗରେ ଏପରି ଥଟ୍ଟାମଜା ଚଳିବନି ବୋଲି କହିଲେ କୋର୍ଟ

29

କନକ ବ୍ୟୁରୋ : ମେସେଞ୍ଜର ଆପ୍ ହ୍ୱାଟସାପକୁ ଏବେ ଶିକ୍ଷାନୁଷ୍ଠାନ ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖି ସଂସ୍ଥାକୁ ଚଳାଇବାରେ ଏହା ସହାୟକ ହୋଇପାରୁଛି। କିନ୍ତୁ ଏବେ ଏକ ଅଦାଲତ ହ୍ୱାଟସାପରେ ମାମଲାର ଶୁଣାଣି କରି ଚହଳ ସୃଷ୍ଟି କରିଛନ୍ତି। ଏହା ଏକ ନୂଆ ରେକର୍ଡ ବୋଲି କୁହାଯାଉଛି। ତେବେ ଏଭଳି ରେକର୍ଡ ସୃଷ୍ଟି କରିଥିବା ଅଦାଲତ ସୁପ୍ରିମକୋର୍ଟଙ୍କ ରୋଷର ଶିକାର ହୋଇଛନ୍ତି। ସୁପ୍ରିମକୋର୍ଟ ଏହାକୁ ନେଇ ଅତ୍ୟନ୍ତ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଏଭଳି ‘ଥଟ୍ଟା ମଜା’ ବିଚାର ବ୍ୟବସ୍ଥାରେ ଚଳିବନାହିଁ ବୋଲି କହିଛନ୍ତି।

 

ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସାଓ ଏବଂ ତାଙ୍କ ବିଧାୟିକା ପତ୍ନୀ ନିର୍ମଳା ଦେବୀଙ୍କ ଏକ ମାମଲାରେ ହଜାରୀବାଗର ଏକ କୋର୍ଟ ହ୍ୱାଟସାପରେ ଶୁଣାଣି କରିଛନ୍ତି। ହ୍ୱାଟସାପ କଲ୍ ମାଧ୍ୟମରେ ଏହି ଦଂପତିଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୬ରେ ଯୋଗେନ୍ଦ୍ର ଏବଂ ତାଙ୍କ ପତ୍ନୀ ଏକ ଦଙ୍ଗା ମାମଲାରେ ଅଭିଯୁକ୍ତ ଥିଲେ। ତେବେ ସୁପ୍ରିମକୋର୍ଟ ଗତବର୍ଷ ଏମାନଙ୍କୁ ଜାମିନ ପ୍ରଦାନ କରିବା ସହିତ ଝାଡ଼ଖଣ୍ଡରେ ପ୍ରବେଶ ନ କରିବା ପାଇଁ ସର୍ତ୍ତ ରଖିଥିଲେ। କେବଳ କୋର୍ଟ ଶୁଣାଣିରେ ଏମାନେ ଯାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ। ସେମାନଙ୍କୁ ଭୋପାଳରେ ରହିବା ପାଇଁ ଅନୁମତି ମିଳିଥିଲା। ଚଳିତବର୍ଷ ଏପ୍ରିଲ ମାସରେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଝାଡ଼ଖଣ୍ଡର ହଜାରୀବାଗ କୋର୍ଟ ଦଂପତିଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ଆଦେଶ ଦେଇଛନ୍ତି। ସେମାନଙ୍କ ଆପତ୍ତି ସତ୍ତ୍ୱେ କୋର୍ଟ କିଛି ନଶୁଣି ହ୍ୱାଟସାପରେ ଏଭଳି ଶୁଣାଣି କରିଥିବା ଦଂପତି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

 

ସୁପ୍ରିମକୋର୍ଟ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ବିଚାରପତି ଏସ୍ ଏ ବୋବଡେ ଏବଂ ଏଲ୍ ଏନ୍ ରାଓଙ୍କ ଖଣ୍ଡପୀଠ ଘଟଣାକୁ ଗୁରୁତ୍ୱର ସହ ନେଇ ହଜାରୀବାଗ କୋର୍ଟଙ୍କୁ ସମାଲୋଚନା କରିଛନ୍ତି। ଝାଡ଼ଖଣ୍ଡରେ ଏହା କ’ଣ ଚାଲିଛି ଏବଂ ଏଥିପାଇଁ ଅନୁମତି କିଏ ଦେଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଭାରତୀୟ ବିଚାର ବ୍ୟବସ୍ଥାରେ ଏଭଳି ଶସ୍ତା ଓ ହାଲୁକା ଭାବେ କୌଣସି ମାମଲାର ଶୁଣାଣି କରାଯାଇ ପାରିବ ନାହିଁ। ଏହା କୌଣସି ଥଟ୍ଟା ମଜା ପ୍ରସଙ୍ଗ ନୁହେଁ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ଦର୍ଶାଇଛନ୍ତି। ଦଂପତିଙ୍କ ଆବେଦନକୁ ଆଖିରେ ରଖି ଖଣ୍ଡପୀଠ ଝାଡ଼ଖଣ୍ଡକୁ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବା ନିମନ୍ତେ କୁହାଯାଇଛି। ଦଂପତି ସେମାନଙ୍କ ମାମଲା ହଜାରୀବାଗରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଛନ୍ତି।

 

ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ପୂର୍ବତନ ମନ୍ତ୍ରୀ ସାଓ ନିଜ ଜାମିନ ସର୍ତ୍ତାବଳିକୁ ବାରମ୍ବାର ଉଲ୍ଲଂଘନ କରି ଅଧିକାଂଶ ସମୟ ଭୋପାଳ ବାହାରେ ରହୁଛନ୍ତି। ଏଥିଯୋଗୁ ତାଙ୍କ ମାମଲାର ଶୁଣାଣି ବିଳମ୍ବ ହେଉଛି। ବାରମ୍ବାର ତାଗିଦ୍ କଲେ ବି ସେମାନେ ଶୁଣୁନାହାନ୍ତି। ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ସ୍ଥଳେ ସେମାନଙ୍କ ଜାମିନ ବାତିଲ ପାଇଁ କୋର୍ଟରେ ଆବେଦନ କରାଯାଇ ପାରିବ। ଜାମିନ ସର୍ତ୍ତକୁ ମାନୁନଥିବା ଲୋକଙ୍କ ଉପରେ ଆମର କୌଣସି ଦୟାଭାବ ନାହିଁ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ଦର୍ଶାଇଛନ୍ତି ।