କିଂବଦନ୍ତି କ୍ରିକେଟର୍ ଅଂଶୁମାନ ଗାଏକ୍ୱାଡଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି । ଅନେକ ଦିନଧରି ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ । ଲଣ୍ଡନର କିଙ୍ଗ୍ସ କଲେଜ ହସ୍ପିଟାଲ୍ରେ ଚିକିତ୍ସା ଚାଲିବା ପରେ ଗତ ମାସରେ ସେ ବଡ଼ୋଦରା ଫେରି ଆସିଥିଲେ । ଶେଷ ସମୟରେ ପୁଅ ଶତ୍ରୁଞ୍ଜୟ ତାଙ୍କ ପାଖରେ ଉପସ୍ଥିତ ଥିଲେ । ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଅଂଶୁମାନ ଭାରତ ପାଇଁ ୧୯୭୫ରୁ ୧୯୮୭ ମସିହା ମଧ୍ୟରେ ୪୦ ଟେଷ୍ଟ୍, ୧୫ ଦିନିକିଆ ଖେଳିଛନ୍ତି । ଏଥିସହ ୨୨ ବର୍ଷର କ୍ରିକେଟ୍ କ୍ୟାରିୟରରେ ୨୦୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ।
ଟେଷ୍ଟ୍ରେ ସେ ୧୯୮୫ ରନ୍ ସଂଗ୍ରହ କରିଥିଲା ବେଳେ ପାକିସ୍ତାନ ବିପକ୍ଷରେ ସର୍ବୋଚ୍ଚ ୨୦୧ ରନ୍ ସଂଗ୍ରହ କରିଥିଲେ । ଦିନିକିଆରେ ୨୬୯ ରନ୍ କରିଥିଲେ । ୧୯୯୭ ମସିହା ଅକ୍ଟୋବରରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା । ୧୯୯୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ କାର୍ଯ୍ୟକାଳରେ ରହିଥିଲେ । ତାଙ୍କ ସମୟରେ ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍ ଅକ୍ତିଆର କରି କୀର୍ତ୍ତିମାନ କରିଥିଲେ । ୨୦୧୮ରେ ଗାଏକ୍ବାଡଙ୍କୁ ବିସିସିଆଇ ପକ୍ଷରୁ ସିକେ ନାୟୁଡୁ ଜୀବନବ୍ୟାପୀ ସଫଳତା ପୁରସ୍କାର ଦିଆଯାଇଥିଲା । ଗାଏକ୍ବାଡଙ୍କ ପରଲୋକରେ ବିସିସିଆଇ ସଭାପତି ରୋଜର ବିନ୍ନି, ସମ୍ପାଦକ ଜୟ ଶାହ ଓ ଅନେକ କ୍ରିକେଟ୍ପ୍ରେମୀ ଶୋକ ପ୍ରକାଶ କରିଛନ୍ତି ।