ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା । ଗାଁକୁ ବ୍ୟାପିଲାଣି ସଂକ୍ରମଣ, ବଢୁଛି ପଜିଟିଭ୍ ହାର

85

ମହାରାଷ୍ଟ୍ର ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି । ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବଡ଼ ବଡ଼ ସହରରୁ ଏବେ ଛୋଟ ସହର ଏବଂ ଗାଁକୁ ବି ସଂକ୍ରମଣ ବ୍ୟାପିଲାଣି । ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌) ଅମରାବତୀ ଜିଲ୍ଲା ସଭାପତି ଅମିତ ରୋହନକର କହିଛନ୍ତି, କଡ଼ା ପଦକ୍ଷେପ ଗ୍ରହଣ ନହେଲେ ଭାଇରସ୍‌ ଗ୍ରାମୀଣ ଅଞ୍ଚଳରେ ଭୟାନକ ସ୍ଥିତି ସୃଷ୍ଟି କରିବ । ବିଦର୍ଭ ଅଞ୍ଚଳର ଅମରାବତୀ ଏବଂ ନାଗପୁର ଜିଲ୍ଲାରେ ପ୍ରଥମେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ପରେ ଏହା ସୀମା ଅଞ୍ଚଳ ତଥା ଛୋଟ ସହର ନାନ୍ଦେଦ ଏବଂ ନନ୍ଦୁରବରକୁ ବ୍ୟାପିଛି । ନନ୍ଦୁରବରରେ ସଂକ୍ରମଣ ବଢ଼ିବାରୁ ଏଠାରେ ଟିକାକରଣ କାର୍ଯ୍ୟର ସମୀକ୍ଷା କରିବାପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଅଞ୍ଚଳକୁ ଗସ୍ତ କରିବେ । ଦେଶରେ ୬୫ ପ୍ରତିଶତ ନୂଆ ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।

ପୂର୍ବରୁ ପ୍ରଭାବିତ ହୋଇନଥିବା ସ୍ଥାନମାନଙ୍କରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି । ବୁଧବାର ମହାରା‌ଷ୍ଟ୍ରରେ ୨୩ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଥିଲା । ଆଜି ସନ୍ଧ୍ୟା ସୁଦ୍ଧା ଏହା ୨୫,୮୩୩ ଛୁଇଁଛି । ୧୦୨ ଦିନରେ ଏହା ସର୍ବାଧିକ ଏବଂ ଗତ ମଙ୍ଗଳବାର ତୁଳନାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି । ଦେଶରେ ପ୍ରତି ୫ ମାମଲାରୁ ଗୋଟିଏ ମାମଲା ମହାରାଷ୍ଟ୍ରରେ ରହିଛି । ଗତ କିଛି ଦିନ ଧରି ଦେଶର ଦୈନିକ ମାମଲାର ୬୨ ପ୍ରତିଶତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି ।