ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଥିବା ଚାଷୀଭାଇ ମାନଙ୍କ ପାଇଁ ଖୁସି ଖବର, ସେପ୍ଟେମ୍ବର ୫-୬ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା

141

କନକ ବ୍ୟୁରୋ : ଦେଶରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଛି । ଏହାକୁ ନେଇ ଚାଷୀଭାଇମାନେ ବଡ ଚିନ୍ତାରେ ପଡିଛନ୍ତି । ଏଭଳି ସମୟରେ ଘରୋଇ ପାଣିପାଗ ବିଭାଗ ‘ସ୍କାଏମେଟ’ ର ସୂଚନା ଚାଷୀଭାଇମାନଙ୍କ ମଧ୍ୟରେ କିଛି ଆଶା ସଂଚାର କରିଛି । ସ୍କାଏମେଟର ସୂଚନା ମୁତାବକ ଚଳିତମାସ ୫-୬ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଫଳରେ ପୂର୍ବ, ମଧ୍ୟ ଓ ଉତ୍ତର ଭାରତରେ ବର୍ଷାର ପରିମାଣ ବଢିବ ବୋଲି ଘରୋଇ ପାଣିପାଗ ବିଭାଗ ସ୍କାଏମେଟ କହିଛି ।

ସ୍କାଏମେଟ ତରଫରୁ ଆହୁରି କୁହାଯାଇଛି କି ଅଗଷ୍ଟ ତୁଳନାରେ ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହି ମାସରେ ୩-୪ ଟି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ଏଭଳି ହେଲେ ଅଗଷ୍ଟମାସରେ ଯେଉଁ ନିଅଣ୍ଟିଆ ବର୍ଷା ହୋଇଛି ତାହା ସେପ୍ଟେମ୍ବର ମାସରେ ପୂରଣ ହୋଇଯିବ ।

କହିରଖୁ କି ପାଣିପାଗ ବିଭାଗର ସୂଚନା ମୁତାବକ ଅଗଷ୍ଟ ମାସରେ ଦେଶରେ ସ୍ୱଭାବିକଠାରୁ ୨୪ ପ୍ରତିଶତ କମ୍ ବର୍ଷା ହୋଇଛି । ଅଗଷ୍ଟମାସ ବର୍ଷାଋତୁରେ ଏକ ପ୍ରମୁଖ ମାସ ହୋଇଥିବାରୁ ଏହି ମାସରେ ହାରାହାରି ୨୫୮.୨ ମିଲିମିଟର ବର୍ଷା ହୋଇଥାଏ । ହେଲେ ଚଳିତ ବର୍ଷ ଅଗଷ୍ଟମାସରେ ମାତ୍ର ୧୯୬.୨ ମିଲିଲିଟର ବର୍ଷା ହୋଇଥିବାରୁ ଚାଷକାମ ବାଧାପ୍ରାପ୍ତ ହୋଇଛି ।