କନକ ବ୍ୟୁରୋ : ନିର୍ବାଚନ ସଂସ୍କାର ପାଇଁ ଭାରତୀୟ ନିର୍ବାଚନ କମିସନ ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ବିଚାର କରୁଛନ୍ତି। ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦୁଇଟି ଆସନରେ ଜିତି ଗୋଟିଏ ଆସନକୁ ଛାଡ଼ିବା ସ୍ଥିତିରେ ପ୍ରାର୍ଥୀଙ୍କୁ ଉପନିର୍ବାଚନ ପାଇଁ ଖର୍ଚ୍ଚ ଦେବାକୁ ହେବ ବୋଲି ପ୍ରସ୍ତାବ ଆଣି ନିର୍ବାଚନ କମିସନ ଏ ବାବଦରେ ଗୁରୁତ୍ୱର ସହ ଚିନ୍ତା କରୁଥିବା ଜଣାପଡ଼ିଛି। ୨ଟି ଆସନରେ ବିଜୟୀ ହୋଇ ଗୋଟିଏ ଆସନ ଛାଡ଼ିବା କ୍ଷେତ୍ରରେ ଯଦି ପ୍ରାର୍ଥୀ ଉପ ନିର୍ବାଚନ ପାଇଁ ଖର୍ଚ୍ଚ ଦେଇପାରିବେ ନାହିଁ, ତେବେ ପ୍ରାର୍ଥୀ ଯେଉଁ ଆସନ ଛାଡ଼ିଥିବେ ସେହି ଆସନରେ ଦ୍ୱିତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯିବା ପ୍ରସ୍ତାବ ମଧ୍ୟ ବିଚାରାଧୀନ ରହିଛି।
ଏଭଳି ବ୍ୟବସ୍ଥା କରାଗଲେ ଦ୍ୱିତୀୟ ଥର ନିର୍ବାଚନ କରିବା ଖର୍ଚ୍ଚ ଓ ପ୍ରକ୍ରିୟାରୁ ମୁକ୍ତି ମିଳିବ ବୋଲି ନିର୍ବାଚନ କମିସନଙ୍କ ପ୍ରସ୍ତାବରେ ଉଲ୍ଲେଖ ଥିବା ଜଣାପଡ଼ିଛି। ପ୍ରଚଳିତ ବ୍ୟବସ୍ଥାରେ ଜଣେ ପ୍ରାର୍ଥୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବା ନିୟମ ରହିଛି। ପ୍ରାର୍ଥୀ ଦୁଇଟି ଆସନରୁ ନିର୍ବାଚନ ଜିତିବା ସ୍ଥିତିରେ ଗୋଟିଏ ଆସନ ପାଇଁ ପୁଣି ଉପନିର୍ବାଚନ କରିବାକୁ ପଡ଼ିଥାଏ। ଏହା ଦ୍ୱାରା ଅର୍ଥ ଅପଚୟ ହେବା ସାଙ୍ଗକୁ ଭୋଟରଙ୍କୁ ୬ ମାସ ମଧ୍ୟରେ ପୁଣି ନିର୍ବାଚନ ପ୍ରକ୍ରିୟାରେ ଗତି କରିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରସ୍ତାବ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Elections12.jpg)