କନକ ବ୍ୟୁରୋ : ଭାରତ ଗତ ୨୦୨୨ ମସିହାରେ ଟପ୍ -୧୦ ଅର୍ଥବ୍ୟବସ୍ଥାର ୫ମ ସ୍ଥାନରେ ପହଂଚିଛି । ଏହାସହ ୨୦୨୭ ସୁଦ୍ଧା ଦେଶର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହୋଇଯିବ ବୋଲି ଏବେକାର ସରକାର ଦାବି କରୁଛନ୍ତି   । ଏହାସହ ଦେଶ ଏବେ ଉଚ୍ଚ ରୋଜଗାର ଦେଶ ତାଲିକାରେ ମଧ୍ୟ ସାମିଲ ହୋଇଛି । ହେଲେ ଭାରତରେ ଆୟ ଭାଗ କରିବା ବ୍ୟବସ୍ଥାରେ ଅସମାନତା ବୃଦ୍ଧି ପାଇବାରେ ଲାଗିଛି । ଚିନ୍ତାର ବିଷୟ ହେଉଛି ଗତ ୨୦ ବର୍ଷ ମଧ୍ୟରେ ଲୋକଙ୍କ ରୋଜଗାର ଓ ସମ୍ପତ୍ତି ମଧ୍ୟରେ ଅସମାନତା ବୃଦ୍ଧି ପାଇବାରେ ଲାଗିଛି । ୟୁନାଇଟେଡ ନେସନ ଡେଭଲପମେଣ୍ଟ ପ୍ରୋଗ୍ରାମ ବା ୟୁଏନଡିପି ରିପୋର୍ଟରେ ଏହାକୁ ନେଇ ଏକ ବଡ ଖୁଲାସା ହୋଇଛି ।

Advertisment

ଋିପୋର୍ଟ ମୁତାବକ ଭାରତ ବିଶ୍ୱର ସେହି ୧୦ ଟି ଦେଶ ମଧ୍ୟରେ ସାମିଲ ହୋଇଛି । ଯେଉଁ ଦେଶରେ ଲୋକଙ୍କର ରୋଜଗାର ତ ବୃଦ୍ଧି ପାଇଛି ହେଲେ ଏହି ରୋଜଗାର ମଧ୍ୟରେ ଅସମାନତା ବୃଦ୍ଧି ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଭାରତରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ଠୁଳ ହୋଇଯାଇଛି । ଏହାକୁ ନେଇ ଏବେ ନୀତି ନିର୍ମାତା ଚିନ୍ତାରେ ପଡିଛନ୍ତି । ଯେତେବେଳେ ଦେଶର ମୋଟ ୧୪୦ କୋଟି ଲୋକଙ୍କ ମଧ୍ୟରୁ ୮୦ କୋଟି ଲୋକ ସରକାରଙ୍କ ମାଗଣା ରାସନ ଉପରେ ଭରସା କରୁଛନ୍ତି ସେତେବେଳେ କେହି ବି ଅନୁମାନ କରିପାରିବ ଦେଶରେ ଆର୍ଥକ ଅସମାନତା କେତେ ପରିମାଣର ବୃଦ୍ଧି ପାଇଛି ।

ସେପଟେ ସରକାରଙ୍କ ତଥ୍ୟ କହୁଛି ଦେଶରେ ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୟୁଏନଡିପି ରିପୋର୍ଟିରେ କୁହାଯାଇଛି କି ୨୦୧୫-୧୬ ଆର୍ଥକ ବର୍ଷରେ ଦେଶରେ ୨୫ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିଥିଲେ । ହେଲେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା କମି ୧୫ ପ୍ରତିଶତରେ ପହଂଚିଥିଲା । ରିପୋର୍ଟ କହୁଥିବା ତଥ୍ୟରେ ଅସିଥିବା ହ୍ରାସ ଜନବହୁଳ ଦେଶରେ ଗରିବ ଲୋକଙ୍କ ଉପରେ କିଛି ପ୍ରଭାବ ପକାଇଥିବା ଭଳି ମନେ ହେଉନାହିଁ ।

ରିପୋର୍ଟ ମୁତାବକ ଦେଶର ୧୮.୫ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିବାକୁ ବାଧ୍ୟ । ସେମାନଙ୍କ ଦୈନିକ ରୋଜଗାର ୧୮୦ ଟଙ୍କା ମଧ୍ୟରେ ସୀମିତ ରହିଛି । ଏଭଳି କିଛି ଲୋକ ରହିଛନ୍ତି ଯେଉଁମାନେ ଗରିବ ସୀମାରେଖାର ଟିକେ ଉପରେ ରହିଛନ୍ତି । ହେଲେ ସେମାନେ ଗରିବ ସୀମାରେଖା ତଳକୁ ଖସିଆସିବାର ଭୟ ରହିଛି । ଏମାନଙ୍କ ମଧ୍ୟରେ ମହିଳା, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ପ୍ରବାସୀ ଶ୍ରମିକ ସାମିଲ ଅଛନ୍ତି ।

ୟୁଏନଡିପି ରିପୋର୍ଟ କେବଳ ସରକାରଙ୍କ ଆଖି ଖୋଲିଦେଇନାହିଁ ବରଂ ଏହାର ସମାଧାନର ବାଟ ମଧ୍ୟ ବତାଇଛି । ରିପୋର୍ଟରେ କୁହାଯାଇଛି କି ଯଦି ସରକାର ମାନବ ବିକାଶ ଉପରେ ବିନିଯୋଗକୁ ପ୍ରାଥମିକତା ଦେବେ ତେବେ ଆର୍ଥିକ ଅସମାନତା ହ୍ରାସ ପାଇବ ।