ଟୁ ପ୍ଲସ ଟୁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ! ଭାରତକୁ ନାଟୋ ଦେଶ ସମକକ୍ଷ ମାନ୍ୟତା ଦେଲା ଆମେରିକା ।

41

କନକ ବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରଥମ ଟୁ ପ୍ଲସ ଟୁ ବୈଠକରେ କମ୍ୟୁନିକେସନ୍ସ କମ୍ପାଟିବଲିଟି ଆଣ୍ଡ ସିକ୍ୟୁରିଟି ଏଗ୍ରିମେଂଟ ବା କମକାସା ସ୍ୱାକ୍ଷରିତ ହୋଇଛି । ଯାହା ଫଳରେ ଆମେରିକାର ଅତ୍ୟାଧୁନିକ ଓ ସମ୍ବେଦନଶୀଳ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପାଖରେ ପହଂଚି ପାରିବ ଭାରତ । ଏହାସହ ଆମେରିକା ପାଇଁ ଭାରତ ନାଟୋ ଦେଶର ମାନ୍ୟତାରେ ରହିବ । ଏହା ଦ୍ୱାରା ଭାରତ, ଚୀନ ଓ ଅନ୍ୟ ପଡୋଶୀ ରାଷ୍ଟ୍ର ଉପରେ ତୀକ୍ଷ୍ମ ନଜର ରଖିପାରିବ । କେବଳ ଏତିକି ନୁହେଁ ଋଷଠାରୁ ପ୍ରସ୍ତାବିତ ମିଜାଇଲ ଡିଫେନ୍ସ ସିଷ୍ଟମ କିଣିବା ପ୍ରସଙ୍ଗରେ ବି ଭାରତ ଉପରେ ଆମେରିକା କୌଣସି କଟକଣା ଲଗାଇବ ନାହିଁ ।

କମ୍ୟୁନିକେସନ୍ସ କମ୍ପାଟିବଲିଟି ଆଣ୍ଡ ସିକ୍ୟୁରିଟି ଏଗ୍ରିମେଂଟ ସ୍ୱାକ୍ଷର ହେବା ପରେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଡ୍ରୋନ ମଧ୍ୟ ଭାରତ ପାଖରେ ପହଂଚି ପାରିବ । ଉଭୟ ରାଷ୍ଟ୍ର ଏବେ ଆତଙ୍କବାଦ ବିରୋଧରେ ମିଳିତ ଲଢେଇ କରିବେ ବୋଲି ସହମତି ପ୍ରକାଶ ପାଇଛି । ଏହା ବ୍ୟତିତ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଆତଙ୍କବାଦୀ ଦାଉଦ ଇବ୍ରାହିମ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା କହିଛି । ଅନେକ ଆତଙ୍କବାଦୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେରିକା କହିଛି । ଏଥି ସହ ଦାଉଦ ଇବ୍ରାହିମକୁ ଖୋଜି ବାହାର କରିବା ପାଇଁ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଆମେରିକା କହିଛି ।