ଶ୍ରେୟସଙ୍କ ଶାନଦାର ଶତକ, ସାଉଦିଙ୍କ ଘାତକ ବୋଲିଂ । ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ ।

152

କନକ ବ୍ୟୁରୋ : କାନପୁର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ମାତ୍ର ୩୪୫ ରନ କରିବାକୁ ସକ୍ଷମ ହୋଇଛି । ଶ୍ରେୟସ ଆୟରଙ୍କ ପଦାର୍ପଣ ଶତକ ଓ ଶୁଭମାନ ଗିଲ ଏବଂ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ୩୪୫ ରନ୍ କରିଛି ଭାରତୀୟ ଟିମ୍ । ପଦାର୍ପଣ ମ୍ୟାଚରେ ଶ୍ରେୟସ ଶାନଦାର ଇନିଂସ ଖେଳିବା ସହ ଶତକ ହାସଲ କରିଛନ୍ତି । ଆଉ ଶ୍ରେୟସଙ୍କ ଏହି ଇନିଂସରେ ୨ଟି ବିଶାଳ ଛକା ରହିଥିବା ବେଳେ ୧୩ଟି ଚୌକା ରହିଛି । ବିରାଟଙ୍କ ଅନୁପସ୍ଥିତିରେ ଶ୍ରେୟସଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଆୟର । ତେଣୁ ଆଗାମୀ ମ୍ୟାଚରେ ବିରାଟ ଟିମରେ ସାମିଲ ହେଲେ କାହାକୁ ବିଶ୍ରାମ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଶ୍ରେୟସଙ୍କ ଶତକୀୟ ଇନିଂସ ଏହି ଟେଷ୍ଟରେ ଅଧିନାୟକ ଥିବା ଆଜିଙ୍କ୍ୟ ରାହାଣେଙ୍କ ପାଇଁ ବିପଦ ସୃଷ୍ଟି କରିଛି । କାରଣ ଗତ କିଛି ମ୍ୟାଚରେ ରାହାଣେଙ୍କ ବ୍ୟାଟରୁ ସେଭଳି ବଡ ଇନିଂସ ଦେଖିବାକୁ ମିଳିନାହିଁ ।

ଟିମ୍ ଇଣ୍ଡିଆ ସଙ୍କଟଜନକ ସ୍ଥିତିରେ ଥିବା ବେଳେ ଆୟର ଓ ଜାଡେଜା ଦମ୍ଭର ସହ କ୍ରିଜରେ ଛିଡା ହୋଇଥିଲା । ଯାହା ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲା । ଉଭୟଙ୍କ ମଧ୍ୟରେ ୧୨୧ ରନର ଭାଗିଦାରୀ ଟିମ୍ ଇଣ୍ଡିଆର ସ୍କୋରବୋର୍ଡକୁ ଆଗକୁ ନେଇଥିଲା । ତେବେ ରବୀନ୍ଦ୍ର ଜାଡେଜା ଆଉଟ ହେବା ପରେ ପୁଣିଥରେ ଭାରତ ସହଳ ୱିକେଟ ହରାଇଥିଲା । ତେବେ ଶେଷ ଆଡକୁ ଅଶ୍ୱିନୀଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଭାରତର ସ୍କୋରକୁ ୩୪୫ରେ ପହଞ୍ଚାଇବାକୁ ସାଥ୍ ଦେଇଥିଲା ।

ଅନ୍ୟପଟେ ଭାରତୀୟ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲେ କିୱି ଟିମର ଦୁଇ ଘାତକ ବୋଲର ଟିମ୍ ସାଉଦି  ଓ ଜେମିସନ । ସାଉଦି ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ଜେମିସନ ୩ଟି ୱିକେଟ ହାସଲ କରିଥିଲେ । ତେବେ ଶେଷ ଆଡକୁ ନ୍ୟୁଜିଲାଣ୍ଡର ସ୍ପିନର ଆୟାଜ ପଟେଲ ୨ଟି ୱିକେଟ ନେଇ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।