ରାମଲୀଳା ମୈଦାନରେ ଗର୍ଜିଲେ କଳ୍ପନା ସୋରେନ । ବିଜେପିକୁ ଟାର୍ଗେଟ୍, କହିଲେ ଝାଣ୍ଡଖଣ୍ଡବାସୀ କେବେ ବି ମୁଣ୍ଡ ନୁଆଁଇବେ ନାହିଁ

169

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ୨୭ଟି ଦଳ ଦିଲ୍ଲୀର ରାମଲୀଳା ମୈଦାନରେ ଏକାଠି ହୋଇଛନ୍ତି । ଏହି ମହାରାଲିକୁ ଇଣ୍ଡିଆ ମେଣ୍ଟ ତରଫରୁ ଗଣତନ୍ତ୍ର ବଞ୍ଚାଅ ରାଲି ବୋଲି ନାମିତ କରାଯାଇଛି । ଏହି ରାଲିରେ ରାହୁଲ ଗାନ୍ଧୀ, ଶରଦ ପାୱାର, ଉଦ୍ଧବ ଠାକରେ, ସୁନୀତା କେଜ୍ରିୱାଲ ଓ କଳ୍ପାନ ସୋରେନ ମଧ୍ୟ ସାମିଲ ହୋଇଛନ୍ତି । କଳ୍ପାନ ସୋରେନ ତାଙ୍କ ଭାଷଣରେ କହିଛନ୍ତି କି, ଆଦିବାସୀଙ୍କ କାହାଣୀ ସଂଘର୍ଷର କାହାଣୀ, ଆଦିବାସୀମାନଙ୍କ ଇତିହାସକୁ ନେଇ କଳ୍ପନା ସୋରେନ ନିଜକୁ ଗର୍ବିତ ମନେ କରିଛନ୍ତି । ହେଲେ ଦେଶର ସ୍ଥିତି ଦେଖିଲେ ଲାଗୁଛି, ଲୋକତନ୍ତ୍ରକୁ ଶେଷ କରିବାକୁ ଏକଛତ୍ରବାଦ ଶାସକ ଦେଶରେ ପାଦ ରଖିସାରିଛି । ହେଲେ ଏକଛତ୍ରବାଦ ଶାସନକୁ ସମାପ୍ତ କରିବାକୁ ଆମେ ମଧ୍ୟ ସଂକଳ୍ପ ନେଇଛୁ ବୋଲି ବିଜେପିକୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି କଳ୍ପନା ସୋରେନ ।

କଳ୍ପନା ସୋରେନ ମଞ୍ଚାସୀନ ଅତିଥିମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଆପଣମାନେ ଉପସ୍ଥିତ ରହିବା ଦ୍ୱାରା ସମସ୍ତଙ୍କର ଶକ୍ତି ବୃଦ୍ଧି ପାଇଛି । ଦେଶକୁ ସମ୍ବିଧାନ ଦ୍ୱାରା ମିଳିଥିବା ବାବା ସାହେବଙ୍କ ଗ୍ୟାରେଣ୍ଟିକୁ କେନ୍ଦ୍ର ସରକାର ସମାପ୍ତ କରିବାକୁ ଯାଉଛନ୍ତି । ଆଜି ଦେଶରେ ବେକାରୀ ସମସ୍ୟା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ସାରା ଦେଶରେ ଘୃଣାର ନିଆଁ ଜଳୁଛି, ଦେଶର ନେତା ବଡ ନୁହେଁ ବରଂ ଦେଶର ଜନତା ସର୍ବୋପରୀ ବୋଲି କହିଛନ୍ତି କଳ୍ପନା ।

କଳ୍ପନା କହିଛନ୍ତି କି, ଦୀର୍ଘ ୨ମାସ ହେବ ହେମନ୍ତ ସୋରେନ ଜେଲରେ ଅଛନ୍ତି ଓ ୧୦ ଦିନ ହେବ ଅରବିନ୍ଦ କେଜ୍ରିୱାଲ । ହେଲେ ସେମାନଙ୍କ ବିରୋଧରେ ଅପରାଧ ପ୍ରମାଣିତ ହୋଇନାହିଁ । ଏଣୁ ବିନା ଦୋଷରେ ଏଭଳି ଗିରଫଦାରୀ ବିରୋଧରେ ବିରୋଧୀ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବାର ସମୟ ଆସିଯାଇଛି ।