୩ ରାଜ୍ୟରେ ପରାଜୟ ପରେ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା । ବିରୋଧୀଙ୍କ ବୈଠକରେ ସାମିଲ ହେବନି ତୃଣମୂଳ କଂଗ୍ରେସ ।

312

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବଡ ବିଜୟ ପରେ ଏବେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ ଝଟକା । ଆସନ୍ତା ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବେନି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ତେବେ ଏହି ବୈଠକରେ ତୃଣମୂଳ କଂଗ୍ରେସର କୌଣସି ବି ନେତା ଯୋଗ ଦେବେନି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ବିରୋଧୀ ମେଣ୍ଟର ଏହି ବୈଠକ ନେଇ ତୃଣମୂଳ କଂଗ୍ରେସକୁ କୌଣସି ଖବର ଦିଆଯାଇନି । ତେଣୁ ଏଥିପାଇଁ ମମତା ବାନାର୍ଜୀ ଏହି ଦିନ ତାଙ୍କ କାର୍ଯ୍ୟକ୍ରମ ରଖିଛନ୍ତି । ଏହି କାରଣରୁ ସେ ଆସନ୍ତା ବୁଧବାର ଦିନ ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ହୋଇଥିବା ୫ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପି ବଡ ବିଜୟ ହାସଲ କରିଛି । ମଧ୍ୟପ୍ରଦେଶ, ଛତିଶଗଡ ସହିତ ରାଜସ୍ଥାନରେ ସରକାର ଗଠନ କରୁଛି ବିଜେପି । ତେଲେଙ୍ଗାନାକୁ ଛାଡିଦେଲେ ଏହି ତିନୋଟି ରାଜ୍ୟରେ କଂଗ୍ରେସକୁ ମିଳିଛି ଜବରଦସ୍ତ ଝଟକା । ଆଉ ଏବେ ବିରୋଧୀ ମେଣ୍ଟର ବୈଠକରେ ମମତା ବାନାର୍ଜୀ ସାମିଲ ନହେବାକୁ କଂଗ୍ରେସକୁ ଦ୍ୱିତୀୟ ଝଟକା ବୋଲି କୁହାଯାଉଛି ।

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମୁକାବିଲା କରିବାକୁ ବିରୋଧୀ ଦଳମାନେ ଏକଜୁଟ୍ ହେଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ । ସେତେବେଳେ ଏହି ମେଣ୍ଟରେ ୨୬ଟି ଦଳ ସାମିଲ ହେଇଥିଲେ । ଏହି ମେଣ୍ଟର ଦ୍ୱିତୀୟ ବୈଠକ ବେଙ୍ଗାଲୁରୁ ଏବଂ ତୃତୀୟ ବୈଠକ ମୁମ୍ବାଇରେ ଆୟୋଜିତ ହେଇଥିଲା । ତେବେ ଆସନ୍ତା ଡିସେମ୍ବର ୬ ତାରିଖରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ବସିବାକୁ ଅଛି ।