କନକ ବ୍ୟୁରୋ : ଶେଷ ହୋଇଛି ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ବୈଠକରେ ମେଂଟ ବଡ ନିଷ୍ପତି ଗ୍ରହଣ କରିଛି । ମିଳିଥିବା ସୂଚନା ଅନୁସାରେ ଯାଚିବା ପରେ ବି ମେଂଟର ସଂଯୋଜକ ହେବାକୁ ମନା କରି ଦେଇଛନ୍ତି ନୀତୀଶ କୁମାର । ପ୍ରସ୍ତାବକୁ ପ୍ରତ୍ୟାଖାନ କରି ନୀତୀଶ କହିଛନ୍ତି ସେ କୌଣସି ପଦବୀ ପାଇଁ ଆଗ୍ରହୀ ନୁହଁନ୍ତି । କଂଗ୍ରେସର କୌଣସି ବରିଷ୍ଠ ନେତାଙ୍କୁ ଏହି ଦାୟିତ୍ୱ ଦିଆଯିବା ଉଚିତ ।

ଶନିବାର ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଏନସିପି ମୁଖ୍ୟ ଶରଦ ପାୱାର ୧୪ରୁ ଅଧିକ ଦଳର ନେତା ସାମିଲ ହୋଇଥିଲେ । ବୈଠକରେ ଭାରତ ଯୋଡ ନ୍ୟାୟ ଯାତ୍ରା, ଆସନ ଭାଗବଂଟାକୁ ନେଇ ଚର୍ଚ୍ଚା କରାଯାଇଛି । ତେବେ ଏନେଇ କୌଣସି ନିଷ୍ପତି ନିଆଯାଇନି ୨୦ ଜାନୁଆରୀ ପୂର୍ବରୁ ବଡ ନିଷ୍ପତି ନିଆଯାଇପାରେ । ଆଜିର ବୈଠକରେ ସପା ମୁଖ୍ୟ ଅଖିଳେଶ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ବୈଠକରେ ଯୋଗ ଦେଇନଥିଲେ । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ଼ ଖଡଗେ ମେଂଟର ଅଧ୍ୟକ୍ଷ ହେବା ନେଇ ଅଧିକ ସମ୍ଭାବନା ରହିଛି । ଖଡଗେଙ୍କ ମେଂଟର ଅଧ୍ୟକ୍ଷ କରାଯାଉ ବୋଲି ଆଜିର ବୈଠକରେ ପ୍ରସ୍ତାବ ଦେଇଛନ୍ତି ନୀତିଶ କୁମାର ।

ଇଣ୍ଡିଆ ମେଂଟର ବୈଠକ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଇଣ୍ଡିଆମେଂଟ ତାଙ୍କୁ ଖେଳନା ପରି ବ୍ୟବହାର କରୁଥିବା କହିଛନ୍ତି ବିହାର ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଇଣ୍ଡିଆ ମେଂଟର ଆସନଭାଗବଂଟା ଅଙ୍କ ବିଜେପିର ଗଣିତ ବିଗାଡିପାରିବ ନାହିଁ ।

ମେଂଟ ଗଠନ ହେବା ପରେ କାହାକୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ଅନେକ ଚର୍ଚ୍ଚା ଚାଲିଥିଲା । ତେବେ ସଂଯୋଜକ ରେସରେ ସବୁଠୁ ଆଗରେ ନୀତୀଶ କୁମାର ଥିବା କୁହାଯାଉଥିଲା । ପରେ କିଛି ଦିନ ପାଇଁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାବଦଙ୍କ ନା ମଧ୍ୟ ଉଠିବା ସହ ଚର୍ଚ୍ଚା ଜୋର ଧରିଥିଲା । ତେବେ ଶନିବାର ମେଂଟର ଭର୍ଚୁଆଲ ବୈଠକରେ ନୀତୀଶ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ସବୁ କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ।