କନକ ବ୍ୟୁରୋ: ବିହାରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତଘଟିଛି । ନୀତୀଶ କୁମାର ପୁଣି ଥରେ ଏନଡିଏରେ ସାମିଲ ହୋଇଛନ୍ତି । ବିଜେପି ଓ ସହଯୋଗୀ ଦଳ ସହ ମିଶି ସରକାର ଗଢ଼ିଛନ୍ତି । ଆଉ ନୀତୀଶ କୁମାରଙ୍କ ଏହି ପଦକ୍ଷେପ ଇଣ୍ଡିଆ ମେଣ୍ଟ ପାଇଁ ସବୁଠାରୁ ବଡ ଝଟକା ବୋଲି କୁହାଯାଉଛି । ଯାହାକି ସମଗ୍ର ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

  • ଲୋକସଭା ନିର୍ବାଚନ ପୂର୍ବରୁ ବଡ ଓଲଟପାଲଟ
  • ସନ୍ଦେହରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ

କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଏନଡିଏ ସରକାରକୁ ଟକ୍କର ଦେବାକୁ, କଂଗ୍ରେସ ସମେତ ଦେଶର ୨୮ପ୍ରମୁଖ ରାଜନୈତିକ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ । କିନ୍ତୁ ଏହି ଇଣ୍ଡିଆ ମେଣ୍ଟର ଅନ୍ୟତମ ସୂତ୍ରଧର ଥିଲେ ନୀତୀଶ କୁମାର । ବିଜେପ ସହ ସମ୍ପର୍କ ତୁଟିବା ପରେ ନୀତୀଶ ରାଜ୍ୟ ରାଜ୍ୟ ବୁଲି ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟିଥିଲେ । ବିରୋଧୀ ମେଣ୍ଟ ଗଠନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଗତବର୍ଷ ଜୁଲାଇ ୨୩ ତାରିଖରେ ୨୮ ବିରୋଧୀ ରାଜନୈତିକ ଦଳ ମିଶି ‘ଇଣ୍ଡିଆ’ ନାଁରେ ମେଣ୍ଟ ଗଠନ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ସୂତ୍ରଧର ସାଜିଥିବା ନୀତୀଶ କୁମାର ନିଜେ ଇଣ୍ଡିଆ ମେଣ୍ଟ ଛାଡି ପୁଣି ବିଜେପି ସହ ମିଶିଛନ୍ତି ।

ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ସାମିଲ ହେବା ପରେ ବଦଳି ଯାଇଛି ରାଜନୈତିକ ସମୀକରଣ । ଇଣ୍ଡିଆ ମେଣ୍ଟର ଭବିଷ୍ୟତ କଣ ହେବ ସେ ନେଇ ରାଜନୈତିକ ସମୀକ୍ଷକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ନୀତୀଶଙ୍କ ପଦକ୍ଷେପ ସିଧାସଳଖ ଲୋକସଭା ନିର୍ବାଚନ ଓ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ଆଶଙ୍କା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ନୀତୀଶଙ୍କ ପଦକ୍ଷେପକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । କଂଗ୍ରେସର ଦାୟିତ୍ୱହୀନତା ଯୋଗୁଁ ନୀତୀଶ ମେଣ୍ଟ ଛାଡିବାକୁ ବାଧ୍ୟ ହେଲେ ବୋଲି ଜେଡିୟୁ ନେତାମାନେ କହୁଥିବାବେଳେ କଡା ସମାଲୋଚନା କରିଛନ୍ତି କଂଗ୍ରେସ ଓ ଆରଜେଡି ନେତା । ତେବେ ଇଣ୍ଡିଆ ମେଣ୍ଟରୁ ନୀତୀଶ ଓହରିଯିବା ପରେ ସୁଯୋଗର ହାତ ଛଡା କରିନାହାନ୍ତି ବିଜେପି ନେତା । ଇଣ୍ଡିଆ ମେଣ୍ଟ ଏକ କ୍ଷଣସ୍ଥାୟୀ ମେଣ୍ଟ କହି ସମାଲୋଚନା କରିଛନ୍ତି । ଏସବୁ ଭିତରେ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଅନ୍ୟ ରାଜନୈତିକ ଦଳଙ୍କ ଆଗାମୀ ପଦକ୍ଷେପ କଣ ରହୁଛି ତା ଉପରେ ସାରାଦେଶର ନଜର ରହିଛି ।